କରୋନା ପାଇଁ ହାଣ୍ଡିକୁଡ଼ୁଆ ବିକ୍ରି ବନ୍ଦ: କୁମ୍ଭକାରଙ୍କୁ ଘାରିଛି ପରିବାର ଚିନ୍ତା

ପୁରୀ ଅଫିସ,୨୮ା୩: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଶହଶହ ସଂଖ୍ୟାରେ ମୁଣ୍ଡ ନେଇ ଚାଲିଥିବା ଏହି ପ୍ରାଣଘାତୀ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ବିବାହ, ଉତ୍ସବ ଆଦି ଉପରେ କଟକଣା ଲଗାଯାଇଥିବାରୁ ବଡ଼ଦେଉଳରେ ମହାପ୍ରସାଦ(ବରାଦି ଭୋଗ) ନେବା ପାଇଁ ଅର୍ଡର ଆସୁନାହିଁ। ଫଳରେ ଶ୍ରୀମନ୍ଦିରକୁ ହାଣ୍ଡିକୁଡୁଆ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଏହାର ପ୍ରଭାବ ପଡିଛି କୁମ୍ଭକାରଙ୍କ ଉପରେ। ପରିବାର ପ୍ରତିପୋଷଣ କିପରି କରିବେ ସେନେଇ ଚିନ୍ତା ଘାରିଛି କୁମ୍ଭକାରଙ୍କୁ।
ଗତବର୍ଷର ପ୍ରଳୟଙ୍କରୀ ବାତ୍ୟାରେ ବେସାହାରା ହୋଇପଡ଼ିଥିଲେ କୁମ୍ଭକାର। ଭାଙ୍ଗିରୁଜି ଯାଇଥିଲା ଶାଳଘର ଓ ଭାଟି। ପୁରୀ ସହରରେ ୪୦୦ରୁ ଊର୍ଦ୍ଧ୍ୱ କୁମ୍ଭକାର ପରିବାର ବସବାସ କରୁଥିବାବେଳେ ବାତ୍ୟାରେ ୨୩୧ ପରିବାରର ଶାଳ ଘର ଏବଂ ଆସବାବପତ୍ର ନଷ୍ଟ ହୋଇଥିଲା। ଫଳରେ ପୁରୀ ସଦରର ପ୍ରାୟ ୧୫୦, ବ୍ରହ୍ମଗିରି, ୪୦୦, ସତ୍ୟବାଦୀ ୯୦ ଏବଂ ଗୋପ ବ୍ଲକର ୧୦୦ରୁ ଊର୍ଦ୍ଧ୍ୱ ପରିବାର ପ୍ରଭାବିତ ହୋଇଥିଲେ। ଏ ପର୍ଯ୍ୟନ୍ତ ଅନେକ ନିଜ ଜୀବନ ଜୀବିକାକୁ ସମ୍ପୂର୍ଣ୍ଣ ଭାବେ ସଜାଡ଼ି ପାରି ନ ଥିବାବେଳେ ଏବେ ପୁଣି କରୋନା ମାଡ଼ ସେମାନଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ସମସ୍ତ କୁମ୍ଭକାର କରୋନାର ଅଜଣା ଆତଙ୍କରେ ଆତଙ୍କିତ ହୋଇପଡିଛନ୍ତି। କେବେ ମନ୍ଦିର ଖୋଲିବ ଏବଂ ସେମାନେ ହାଣ୍ଡିକୁଡ଼ୁଆ ବିକ୍ରି କରି ପରିବାର ପ୍ରତିପୋଷଣ କରିବେ ସେ ନେଇ ସନ୍ଦେହରେ ପଡ଼ିଛନ୍ତି।

Share