କରୋନା ପ୍ରତିରୋଧ ବ୍ୟବସ୍ଥା ଲାଗି ୩୦ ଜିଲାକୁ ୪୪.୫୦ କୋଟି: ଔଷଧ ଯୋଗାଣକାରୀ ସଂସ୍ଥାକୁ ଦିଆଯିବ ଇନ୍‌ସେନ୍‌ଟିଭ୍‌

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଘାତକ କରୋନା ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ରାଜ୍ୟ ସରକାର ଏହାକୁ ମୁକାବିଲା କରିବାକୁ ସମସ୍ତ ପ୍ରସ୍ତୁତି କରୁଛନ୍ତି। ଏଥିରେ ଡାକ୍ତର ତଥା ଅନ୍ୟ ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ ତଥା ଧନ୍ୟବାଦ ଜଣାଇବା ଲାଗି ୪ ମାସର ଦରମା ଯୋଗାଇ ଦିଆଯିବ ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ଏହାବ୍ୟତିତ ବାଗ୍‌ଚୀ କହିଛନ୍ତି, ଆଗାମୀ ଦିନରେ କରୋନା ସହ ଲଢ଼ିବା ପାଇଁ ଜନବଳ, ମନୋବଳ, ଧନବଳର ଆବଶ୍ୟକତା ରହିଛି। ସରକାର ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି। ସରକାରଙ୍କ ସାଧନକୁ ବଢ଼ାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଓଏମ୍‌ସି ୫୦୦ କୋଟି ଟଙ୍କା ଏବଂ ସ୍ବତନ୍ତ୍ର ଭାବେ ୨୫୦ କୋଟି ଦାନ କରିଛନ୍ତି। କରୋନା ପ୍ରତିରୋଧ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ୩୦ଜିଲାକୁ ୪୪.୫୦ କୋଟି ଟଙ୍କା ପଠାଇଛନ୍ତି। ଏଥିସହ ସମସ୍ତ ଚିକିତ୍ସାଳୟକୁ ଆବଶ୍ୟକ ସ୍ବାସ୍ଥ୍ୟ ସାମଗ୍ରୀ ଯୋଗାଇ ଦେବାରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ଔଷଧ ସେବା ନିଗମକୁ ଔଷଧ ଯୋଗାଣକାରୀ ସଂସ୍ଥାକୁ ଇନ୍‌ସେଣ୍ଟିଭ୍‌ ଦିଆଯିବାକୁ ବ୍ୟବସ୍ଥା ହୋଇଛି। ଯୋଗାଣ ସୂଚାରୁରୂପେ ଏବଂ ୭ ଦିନ ପୂର୍ବରୁ ଦେଲେ ୫୦% ଅଧିକ ଟଙ୍କା ମିଳିବ। ଯଦି ସେମାନେ ୧୫ ଦିନ ଆଗରୁ ଯୋଗାନ୍ତି ତେବେ ୨୫%, ୩୦ ଦିନ ପୂର୍ବରୁ ହେଲେ ୧୦% ଦିଆଯିବ। ଅନ୍ୟ ବ୍ୟବସ୍ଥା ସହ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ଟଙ୍କା ଯୋଗାଇ ଦିଆଯିବ। ୨୧ ଦିନ ଲକ୍‌ଡାଉନ୍‌ରେ ମାଲବାହୀ ଯାନବାହନ ବିନା ବାଧାରେ ଯାତାୟତ କରିପାରିବ। ଏଥିରେ ପ୍ରତିବନ୍ଧକ ଆଣିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି ସେ କହିଛନ୍ତି।

Share