Categories: ଖେଳ

କରୋନା ପ୍ରଭାବ: ଟୋକିଓ ଅଲିମ୍ପିକ୍ସ ଆଶାଠାରୁ ଆଶଙ୍କା ବେଶୀ

ନୂଆଦିଲ୍ଲୀ,୨୨।୩- କରୋନା ଭାଇରସ ସଂକ୍ରମଣ ୨୦୨୦ ଟୋକିଓ ଅଲିମ୍ପିକ୍ସ ଉପରେ ପ୍ରଭାବ ପକାଇବା ସମ୍ଭାବନା ଦେଖା ଦେଇଛି। ଆୟୋଜକଙ୍କ ପକ୍ଷରୁ ଯଦିଓ ଏହାକୁ ଠିକ୍‌ ସମୟରେ ଆୟୋଜନ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରାଯାଇଛି ତେବେ ବିଭିନ୍ନ କ୍ୱାଲିଫାଇଂ ଟୁର୍ନାମେଣ୍ଟ ସ୍ଥଗିତ କିମ୍ବା ବାତିଲ ହୋଇଥିବାରୁ ଅଲିମ୍ପିକ୍ସ ମଧ୍ୟ ସ୍ଥଗିତ କିମ୍ବା ପରବର୍ତ୍ତୀ କୌଣସି ଏକ ତାରିଖକୁ ଘୁଞ୍ଚତ୍ବା ସମ୍ଭାବନା ରହିଛି। ଟୋକିଓ ଅଲିମ୍ପିକ୍ସ ଆସନ୍ତା ଜୁଲାଇ ୨୯ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ହେବାର କାର୍ଯ୍ୟସୂଚୀ ଥିଲେ ହେଁ ଏହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଟର୍ଚ୍ଚ ରିଲେ
ଗ୍ରୀସର ଅଲିମ୍ପିଆଠାରେ ଗତ ୧୨ ତାରିଖରେ ପାରମ୍ପରିକ ଅଲିମ୍ପିକ୍‌ ମଶାଲ ପ୍ରଜ୍ୱଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ପ୍ରଥମ ମଶାଲ ବାହକ ଦାୟିତ୍ୱ ତୁଲାଇଥିଲେ ତାରକା ମହିଳା ଶୁଟର ଆନ୍ନା କୋରାକାକି। କରୋନା ଭାଇରସ ସଂକ୍ରମଣ ଯୋଗୁ ୧୯୮୪ ପରେ ପ୍ରଥମଥରପାଇଁ ମଶାଲ ପ୍ରଜ୍ୱଳନ ଉତ୍ସବକୁ ବିନା ଦର୍ଶକରେ ଆୟୋଜନ କରାଯାଇଥିଲା। ମାର୍ଚ୍ଚ ୧୩ରେ ଗ୍ରୀକ୍‌ ପର୍ଯ୍ୟାୟର ମଶାଲ ରିଲେକୁ ବାତିଲ କରାଯାଇଥିଲା। ଏହାପରେ ୧୯ ତାରିଖରେ ମଶାଲ ହସ୍ତାନ୍ତର ପ୍ରକ୍ରିୟା ଏଥେନ୍ସର ପାନାଥେନାକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ମଶାଲ ଏବେ ଜାପାନରେ ପହଞ୍ଚତ୍ ସାରିଥିଲେ ହେଁ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯୋଗ୍ୟତା ପର୍ଯ୍ୟାୟ
କରୋନା ସଂକ୍ରମଣକୁ ଦୃଷ୍ଟିରେ ଅନେକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟକୁ ସ୍ଥଗିତ ରଖା ଯାଇଛି କିମ୍ବା ବାତିଲ କରାଯାଇଛି।
ଆର୍ଚେରୀ
୨୦୨୦ ମାର୍ଚ୍ଚ ୧୬ରେ ବିଶ୍ୱ ଆର୍ଚେରୀ ଫେଡେରେଶନ ପକ୍ଷରୁ ୨ଟି ମହାଦେଶୀୟ ଯୋଗ୍ୟତା ପର୍ଯ୍ୟାୟକୁ ବାତିଲ କରାଯାଇଥିଲା। ପାନ୍‌ ଆମେରିକାନ ଚାମ୍ପିୟନଶିପ୍‌ ମେକ୍ସିକୋର ମୋଣ୍ଟେରେଠାରେ ମାର୍ଚ୍ଚ ୨୩ରୁ ୨୯ ଓ ଓସେନିଆ ଚାମ୍ପିୟନଶିପ୍‌ ଏପ୍ରିଲ ୫ରୁ୯ ଫିଜିରେ ହେବାର ଥିଲା। ମାତ୍ର ବିଶ୍ୱ ଆର୍ଚେରୀ ଫେଡେରେଶନ ଏପ୍ରିଲ ଶେଷ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତା ନ କରାଇବାକୁ ନିଷ୍ପତ୍ତି ନେଇଛି।

Share