କରୋନା ପ୍ରଭାବ: ନାଲ୍‌କୋରେ ଉତ୍ପାଦନ କମିବା ଆଶଙ୍କା

ବଅଁରପାଳ, ୨୪।୩(ଡି.ଏନ.ଏ.): କରୋନା ସଂକ୍ରମଣ ପ୍ରତିହତ କରିବାକୁ ସାରା ଦେଶରେ ଲାଗୁ କରାଯାଇଛି ଲକ୍‌ଡାଉନ୍‌। ଏହାର ଗଭୀର ପ୍ରଭାବ ପଡ଼ିଛି ଶିଳ୍ପାନୁଷ୍ଠାନ ଉପରେ। ନବରତ୍ନ ମାନ୍ୟତାପ୍ରାପ୍ତ କମ୍ପାନୀ ନାଲ୍‌କୋ ମଧ୍ୟ ଏଥିରୁ ବାଦ୍‌ପଡ଼ିନି। ସଂକ୍ରମଣ ରୋକିବାକୁ ଗାଇଡ୍‌ଲାଇନ ଅନୁଯାୟୀ କମ୍ପାନୀ ପରିଚାଳିତ ହେଉଛି। ଉଭୟ ସ୍ମେଲଟର ଏବଂ ସିପିପି ପ୍ଲାଣ୍ଟରେ ମ୍ୟାନ୍‌ ପାଓ୍ବାର ହ୍ରାସ କରାଯାଇଛି। ସିପିଟିରେ ମଧ୍ୟ ସ୍ବଳ୍ପସଂଖ୍ୟକ ଶ୍ରମିକ କାମ କରିବାକୁ ଯାଉଛନ୍ତି। ଏସବୁ କାରଣରୁ ପ୍ଲାଣ୍ଟରେ ଉତ୍ପାଦନ ହ୍ରାସ ପାଇବା ଆଶଙ୍କା ଦେଖାଦେଇଛି।
ଅନ୍ୟପଟେ ନାଲ୍‌କୋ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଟାଉନଶିପ୍‌ ସେଣ୍ଟ୍ରାଲ ମାର୍କେଟ ଗେଟ୍‌, ଗିରାଙ୍ଗ ଛକ, କନ୍ୟାବେଡ଼ା ଛକରେ ଥିବା ଫାଟକଗୁଡ଼ିକରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। କଲୋନୀ ଅଞ୍ଚଳରେ ଜନଗହଳି ଏଡ଼ାଇବାକୁ ଆବଶ୍ୟକ ଦୃଷ୍ଟି ଦିଆଯାଉଛି। ଅଚିହ୍ନା ଲୋକଙ୍କୁ କଲୋନୀରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ଯାଞ୍ଚ କାର୍ଯ୍ୟ କଡ଼ାକଡ଼ି କରାଯାଇଛି।

Share