କରୋନା ପ୍ରଭାବ: ରାଜ୍ୟର ସମସ୍ତ ଆହାର କେନ୍ଦ୍ର, ପାର୍କ ବନ୍ଦ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ରକୁ ମାର୍ଚ୍ଚ ୨୯ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ହସ୍ପିଟାଲ ପରିସର କିମ୍ବା ଏହା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଖୋଲା ରହିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ସମସ୍ତ ୩୦ଟି ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଆହାର କେନ୍ଦ୍ରଗୁଡିକରେ ଜନଗହଳି ହେଉଥିବାରୁ ଏ ସବୁକୁ ବନ୍ଦ କରିବା ପାଇଁ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ସମସ୍ତ ଜିଲାପାଳ, ଆହାର ସମିତି ସଭାପତି, ସମସ୍ତ ମହାନଗର ନିଗମ କମିଶନରଙ୍କୁ ଚିଠିଲେଖି ସରକାରଙ୍କ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହିତ ମାର୍ଚ୍ଚ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲାର ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପାର୍କକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କୁହାଯାଇଛି।

Share