କରୋନା ପ୍ରଭାବ: ଶୂନଶାନ ବାରିପଦା ଛଉପଡ଼ିଆ

ବାରିପଦା ଅଫିସ, ୧୪ା୪- ଚୈତ୍ର ମାସ ଆସିଲେ ଦୁଲୁକି ଉଠେ ମୟୂରଭଞ୍ଜ ମାଟି। ବିଶ୍ୱ ପ୍ରସିଦ୍ଧ ଲୋକନୃତ୍ୟ ଛଉର ତାଳ ତାଳେ ବାଦ୍ୟକାର ଏବଂ ନୃତ୍ୟଶିଳ୍ପୀମାନେ ସାରା ଚୈତ୍ରମାସ ଆଖଡା ଘରେ ଅଭ୍ୟାସ କରନ୍ତି। ଏହା ପରେ ମାସର ଶେଷ ୩ ଦିନ ବାରିପଦା ଛଉପଡ଼ିଆରେ ଅନୁଷ୍ଠିତ ହୋଇଥାଏ ଛଉନୃତ୍ୟର ବାର୍ଷିକ ଉତ୍ସବ ଚୈତ୍ରପର୍ବ। ହେଲେ ବର୍ତ୍ତମାନ ଚୈତ୍ର ମାସ ସରି ଯାଇଥିବା ବେଳେ ଛଉବାଦ୍ୟର ସ୍ବର ଶୁଭିଲାନି କି ନୃତ୍ୟ ଦେଖିବାକୁ ମିଳିଲାନି। ୩ ଦିନ ଧରି ଯେଉଁ ଛଉପଡ଼ିଆ ଜନଗହଳିପୁର୍ଣ୍ଣ ହୋଇଥାଏ, ତାହା ଆଜି ଶୂନଶାନ ହୋଇଯାଇଛି। ରାଜା ରାଜୁଡା ଅମଳରୁ ଏହି ଛଉନୃତ୍ୟ ଉତ୍ସବ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ କରୋନା ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଚୈତ୍ରମାସର ଶେଷ ୩ଦିନ ଚୈତ୍ରପର୍ବ ପାଳନ ହେଉଥିବା ବେଳେ ପ୍ରଥମ ଦିନ ଗ୍ରାମାଞ୍ଚଳର ଛଉନୃତ୍ୟଦଳ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ା ଶେଷ ୨ଦିନ ବାରିପଦାର ଉତ୍ତର ସାହି ଓ ଦକ୍ଷିଣ ସାହି ଛଉନୃତ୍ୟ ପ୍ରତିଷ୍ଠାନ ମଧ୍ୟରେ ସାରାରାତି ଛଉନୃତ୍ୟ ଅନୁଷ୍ଠିତ ହୋଇଥାଏ ା ବାରିପଦା ଛଉନୃତ୍ୟ ଦେଖିବାକୁ କେବଳ ଜିଲାବାସୀ ନୁହଁନ୍ତି ରାଜ୍ୟ, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଆଦି ରାଜ୍ୟରୁ ମଧ୍ୟ ବହୁ ଦର୍ଶକ ଆସିଥାନ୍ତି ା ଏହି ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ଉପରେ ଗବେଷଣା କରୁଥିବା ଅନେକ ବହିରାଗତ ଗବେଷକ ମଧ୍ୟ ଏହି ଉତ୍ସବରେ ଯୋଗଦେଇ ଏହି ଅନନ୍ୟ ସମରକଳା ସାଂସ୍କୃତିକ ଲୋକନୃତ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ମାନ କରିଥାନ୍ତି। ଛଉନୃତ୍ୟ ଗୁରୁ ଫରେନ ନାରାୟଣ ଧଡ଼ା କୁହନ୍ତି ଯେ, ରାଜ ରାଜୁଡ଼ା ସମୟରୁ ଚାଲୁ ଆସୁଥିବା ଛଉ ଉତ୍ସବ ଲକ ଡ଼ାଉନ ଯୋଗୁଁ ଚଳିତବର୍ଷ ହୋଇପାରିଲା ନାହିଁ। ବର୍ଷ ସାରା ପିଲାମାନେ ଅଭ୍ୟାସ ଜାରି ରଖିଥିବା ବେଳେ କରୋନା ଯୋଗୁଁ ଏ ବର୍ଷ ଛଉନୃତ୍ୟ ପ୍ରଦର୍ଶିତ ହୋଇପାରିଲା ନାହିଁ। ପାରମ୍ପରିକ ଭାବେ ଆଖଡ଼ା ଘରେ ପୂଜା ବିଧି କରାଯାଉଥିବା ନେଇ ସେ ପ୍ରକାଶ କରିଥିଲେ।

Share