Categories: ଜାତୀୟ

କରୋନା: ବିଦେଶୀଙ୍କୁ ଅରୁଣାଚଳ ମନା

ଥିରୁଭାନନ୍ଥପୁରମ୍‌,୯ା୩(ପି.ଟି.): କେରଳରୁ ଆଉ ୫ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଦେଶରେ ରୋଗୀସଂଖ୍ୟା ୩୯କୁ ବୃଦ୍ଧି ପାଇଛି। କେରଳର ପଥନାମଥିଟ୍ଟା ଜିଲାରୁ ଚିହ୍ନଟ ୫ ରୋଗୀଙ୍କ ମଧ୍ୟରୁ ୩ ଜଣ ଫେବୃୟାରୀ ୨୯ରେ ଇଟାଲୀରୁ ଫେରିଥିଲେ। ଅନ୍ୟ ଦୁଇଜଣ ସେମାନଙ୍କ ସମ୍ପର୍କୀୟ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା କହିଛନ୍ତି। ୫ ଜଣଙ୍କୁ ପଥନାମଥିଟ୍ଟା ଜେନେରାଲ ହସ୍ପିଟାଲରେ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଭାରତରେ ପ୍ରଥମ ୩ କରୋନା ରୋଗୀ କେରଳରୁ ଚିହ୍ନଟ ହୋଇଥିଲେ। ସେମାନେ ଚାଇନାର ଉହାନରେ ଡାକ୍ତରୀ ପାଠ ପଢ଼ୁଥିଲେ। ଏବେ ସେମାନେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଅରୁଣାଚଳପ୍ରଦେଶ ସରକାର ରାଜ୍ୟରେ ବିଦେଶୀ ପ୍ରବେଶ ଉପରେ ସାମୟିକ ଭାବେ କଟକଣା ଲାଗୁ କରିଛନ୍ତି। ଚାଇନା ସୀମାକୁ ଲାଗିଥିବା ଏହି ରାଜ୍ୟରେ ପ୍ରବେଶ ପାଇଁ ବିଦେଶୀଙ୍କୁ ସୁରକ୍ଷିତ ଅଞ୍ଚଳ ଅନୁମତି (ପିଏପି) ଆବଶ୍ୟକ ପଡ଼ିଥାଏ। ଏବେ ପିଏପି ଇସ୍ୟୁ ବନ୍ଦ କରିବାକୁ କୁହାଯାଇଛି।

Share