କରୋନା ବିରୋଧୀ ଲଢେଇ: ଜୁନ ୩୦ ଯାଏ ବଢିଲା ଆଇଟି ରିଟର୍ନ ଅବଧି, ବିନା ଚାର୍ଜରେ ବ୍ୟବହାର କରିହେବ ବିଭିନ୍ନ ଏଟିଏମ୍‌

ନୂଆଦିଲ୍ଲୀ,୨୪-୩: କରୋନା ପ୍ରତିରୋଧ ଲାଗି ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଥିଲାଗି ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହେଉଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି କେନ୍ଦ୍ର ସରକାର ଶୀଘ୍ର ଏକ ଆର୍ଥତ୍କ ପ୍ୟାକେଜ ଆଣିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସୂଚନା ଦେଇଛନ୍ତି। ଏ ନେଇ ସରକାର ଶୀଘ୍ର ଘୋଷଣା କରିବେ। ସେହିଭଳି ସୀତାରାମନ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଆୟକର(ଆଇଟି) ରିଟର୍ନର ଶେଷ ତାରିଖକୁ ଜୁନ ୩୦ ଯାଏ ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହାବାଦ ବିଳମ୍ବ ରିଟର୍ନ ପଇଠ କ୍ଷେତ୍ରରେ ସୁଧକୁ ୧୨ ଓ ୧୮% ରୁ ୯%କୁ ଖସାଯାଇଛି। ସେହିଭଳି ଆଧାର-ପାନ୍‌ ଲିଙ୍କ୍‌ କରାଇବାର ଶେଷ ସୀମାକୁ ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି। ପରୋକ୍ଷ ଟିକସ କ୍ଷେତ୍ରରେ ବିବାଦ ସମାଧାନ ଲାଗି ଆସିଥିବା ‘ବିବାବ ସେ ବିଶ୍ୱାସ’ ସ୍କିମକୁ ମଧ୍ୟ ଜୁନ ୩୦ ଯାଏ ବୃଦ୍ଧି କରାଯାଇଥିବା ବେଳେ କୌଣସି ଅତିରିକ୍ତ ଚାର୍ଜ ଏଥି ଲାଗି ସରକାର ଲାଗୁ କରାଇବେ ନାହିଁ। ୨୦୨୦ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସର ଜିଏସ୍‌ଟି ରିଟର୍ନ ଏବଂ କମ୍ପୋଜିଶନ ସ୍କିମ ରିଟର୍ନ ଫାଇଲ କରିବାର ଶେଷ ସୀମା ଜୁନ ୩୦ ଯାଏ ବଢାଯାଇଛି। ୫ କୋଟି ଟଙ୍କାରୁ କମ୍‌ କାରବାର କରୁଥିବା କମ୍ପାନୀଗୁଡିକ ଲାଗି କୌଣସି ସୁଧ କିମ୍ବା ପେନାଲଟି ଲାଗୁ କରାଯିବନାହିଁ। ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାରବାର କରୁଥିବା ବଡ କମ୍ପାନୀଙ୍କ ଲାଗି ସୁଧକୁ ୯%କୁ ହ୍ରାସ କରାଯାଇଛି।

Share