Categories: ଜାତୀୟ

କରୋନା ବିଶ୍ୱ ମହାମାରୀ ଘୋଷିତ

ନୂଆଦିଲ୍ଲୀ,୧୨ା୩: କରୋନଜନିତ ମୃତ୍ୟୁସଂଖ୍ୟା ବୁଧବାର ୪୩୦୦ ଅତିକ୍ରମ କରିଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିଛି। ସାରା ପୃଥିବୀରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଆମେ ଗଭୀର ଭାବେ ଚିନ୍ତିତ ବୋଲି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଆଧାନୋମ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଚାଇନାର ଉହାନରୁ ଆରମ୍ଭ ହୋଇଥିବା କୋଭିଡ୧୯ ଏବେ ଏକାଧିକ ମହାଦେଶକୁ ସଂକ୍ରମିତ ହୋଇଛି। ଏଥିରେ ସାରା ବିଶ୍ୱର ୧,୨୧,୭୩୮ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏଭଳି ସ୍ଥିତିରେ ଏହାକୁ ହେୟ ମନେକରିବା ସାଂଘାତିକ ହେବ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି। ଏକ ଭୂତାଣୁଜନିତ ସଂକ୍ରମଣ ବିଶ୍ୱ ମହାମାରୀର ରୂପ ନେବା ଆମେ ପୂର୍ବରୁ କେବେ ଦେଖାଯାଇ ନ ଥିଲା । ଏହାକୁ ନିୟନ୍ତ୍ରଣକୁ ଆଣିବା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ଆମେ ନିୟମିତ ଭାବେ ପରାମର୍ଶ ଦିଆଯାଇ ଆସୁଛି। ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ସ୍ବାସ୍ଥ୍ୟକର୍ମୀମାନଙ୍କୁ କରୋନା ନିରାକରଣ ସମ୍ପର୍କରେ ତାଲିମ ଦେବାକୁ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଆହ୍ବାନ ଦେଇଛନ୍ତି। ଚାଇନାରେ ୩୧୫୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଇଟାଲୀରେ ୬୩୧, ଇରାନରେ ୩୫୪, ଦକ୍ଷିଣ କୋରିଆରେ ୬୦ ଓ ଫ୍ରାନ୍ସରେ ୩୩ ଜଣଙ୍କ ମୁଣ୍ଡ ନେଇସାରିଛି ଏହି ଘାତକ ଭୂତାଣୁ। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ଟପିଥିବାବେଳେ କର୍ନାଟକର କାଲବୁର୍‌ଗୀରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ତତ୍ପରା ପ୍ରକାଶ ପାଇଛି। ସ୍ବାସ୍ଥ୍ୟ ପରୀକ୍ଷା ସହ ଜନସଚେତନତା ଉପରେ ସବୁ ମହଲରେ ଗୁରୁତ୍ୱ ଦିଆଯାଉଛି।
କରୋନା ସଂକ୍ରମଣ ରୋକିବା ଲାଗି ଭାରତ ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟନ ଭିଜାକୁ ସ୍ଥଗିତ ରଖିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀଗୋଷ୍ଠୀ ବୈଠକ ବସି ଏଭଳି ନିଷ୍ପତ୍ତି ନିଆଯାଇଛି। କୂଟନୈତିକ, ସରକାରୀ, ଜାତିସଂଘ/ଅର୍ନ୍ତଜାତୀୟ ସଂଗଠନ, ନିଯୁକ୍ତି ଓ ପ୍ରକଳ୍ପ ଭିଜାକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଭିଜା ସ୍ଥଗିତ ରଖାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଚାଇନା, ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ଜାପାନ, ସ୍ପେନ୍‌ ଓ ଜର୍ମାନୀରୁ ଫେରୁଥିବା ଭାରତୀୟ କିମ୍ବା ବିଦେଶୀଙ୍କୁ ଅନୂ୍ୟନ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ନିଷ୍ପତ୍ତି ହୋଇଛି।

Share