Categories: ଜାତୀୟ

କରୋନା ଭାଇରସକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଟପିଲା, ସୁସ୍ଥ ହେଲେଣି ୩

ନୂଆଦିଲ୍ଲୀ,୪।୩: ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଭାଇରସ୍‌ ଏବେ ଭାରତରେ ଆତଙ୍କ ସୃଷ୍ଟି କରିଛି। ଧିରେ ଧିରେ ଭାରତରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୮କୁ ପହଞ୍ଚିଛି। ଯେଉଁଥିରେ ଦିଲ୍ଲୀର ଏକ ମାମଲା ରହିଛି। ଏହି ୨୮ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ୩ଜଣ କେରଳର ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ହର୍ଷବର୍ଦ୍ଧନଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଅଧିକାରୀ ସାମିଲ ହୋଇଥିବା ବେଳେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ମଧ୍ୟ ଯୋଗଦେଇଥିଲେ। କରୋନା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ କରୁଛନ୍ତି। ପୂର୍ବରୁ ୧୫ଟି ଲ୍ୟାବ୍‌ରେ ରକ୍ତ ନମୁନା ଯାଞ୍ଚ କରାଯାଉଥିବା ବେଳେ ଏବେ ୧୯ଟି ଲ୍ୟାବ୍‌ ତିଆରି କରାଯିବ ବୋଲି ବୈଠକରେ ହର୍ଷବର୍ଦ୍ଧନ କହିଛନ୍ତି। ସେହିପରି ଆଗରୁ ୧୨ଟି ଦେଶର ଲୋଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଏବେ ଭାରତକୁ ଆସୁଥିବା ସମସ୍ତ ବିଦେଶୀ ନାଗରିକଙ୍କୁ ଯାଞ୍ଚ କରାଯିବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ ଭାରତରେ ଥିବା ସମସ୍ତ ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମିତ ମଧ୍ୟରୁ ଅଧିକାଂଶ ଇଟାଲିର ପର୍ଯ୍ୟଟକ ରହିଥିବା ଜଣାପଡ଼ିଛି। ଚିହ୍ନଟ ହୋଇଥିବା ସମସ୍ତ କରୋନା ସଂକ୍ରମିତଙ୍କୁ ଆଇଟିବିପି କ୍ୟାମ୍ପକୁ ପଠାଇ ଦିଆଯାଇଛି।

Share