କରୋନା ଭାଇରସ୍‌କୁ ନଷ୍ଟ କରିବ ନୂଆ ମାସ୍କ

ନୂଆଦିଲ୍ଲୀ, ୧୮ା୪: କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ତା’ର କାୟା ମେଲାଇଛି। ଏହି ରୋଗ ନିୟନ୍ତ୍ରଣ ପାଇଁ ଔଷଧ ବାହାର କରିବାକୁ ସବୁ ଦେଶର ବିଶେଷଜ୍ଞମାନେ ଉଦ୍ୟମ ଜାରି ରଖିଛନ୍ତି। ତେବେ ଏ କ୍ଷେତ୍ରରେ ଏକ ସଫଳତା ହାସଲ କରିଛନ୍ତି ସିଏସ୍‌ଏମ୍‌ସିଆର୍‌ଆଇର ବୈଜ୍ଞାନିକମାନେ। ଗୁଜରାଟର ଭାବନଗରରେ ଥିବା ସେଣ୍ଟ୍ରାଲ ସଲ୍ଟ ଆଣ୍ଡ ମେରାଇନ୍‌ କେମିକାଲ୍ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଏଭଳି ଏକ ମାସ୍କ ତିଆରି କରିଛନ୍ତି, ଯାହା କରୋନା ଭାଇରସ୍‌କୁ ନଷ୍ଟ କରିବାରେ ବିଶେଷଭାବେ ସହାୟକ ହୋଇପାରିବ। ଭୂତାଣୁ ଏହି ମାସ୍କ ସଂସ୍ପର୍ଶରେ ଆସିବା ମାତ୍ରେ ଆପେ ଆପେ କିଛି ସମୟ ପରେ ନଷ୍ଟ ହୋଇ ଯିବ। ବୈଜ୍ଞାନିକଙ୍କ କହିବା ଅନୁସାରେ, ସ୍ବତନ୍ତ୍ର ମ୍ୟାଟେରିଆଲ୍‌ରେ ତିଆରି କରାଯାଇଥିବା ମାସ୍କରେ ଛିଦ୍ରଯୁକ୍ତ ଏକ ବିଶେଷ ସାମଗ୍ରୀ ବ୍ୟବହାର କରାଯାଇଛି। ଏହାକୁ ଅଲଗା ଅଲଗା ପରସ୍ତ କରି ତିଆରି କରାଯାଇଛି, ଯାହା ୧୫୦ ମାଇକ୍ରୋମିଟରର ମୋଟା। ଏହି ମାସ୍କ ୬୦ ନେନୋମିଟର କିମ୍ବା ତା’ଠାରୁ ଅଧିକ ଯେକୌଣସି ଭାଇରସ୍‌କୁ ନଷ୍ଚ କରିପାରିବ ବୋଲି ଦାବି କରାଯାଇଛି। ତେବେ ଏହି ମାସ୍କକୁ ଏପର୍ଯ୍ୟନ୍ତ କୌଣସି ଡାକ୍ତରୀ ମାନ୍ୟତା ମିଳି ପାରିନାହିଁ। ସବୁଠୁ ବଡ଼ କଥା ହେଉଛି ଏହି ମାସ୍କକୁ ଧୋଇବା ପରେ ପୁଣି ଥରେ ବ୍ୟବହାର କରିହେବ। ସଂସ୍ଥାର ବେଜ୍ଞାନିକମାନେ ଏକ ସପ୍ତାହ ମଧ୍ୟରେ ଏଭଳି ଏକ ମାସ୍କ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ମାନ୍ୟତା ମିଳିବା ପରେ ଏହାକୁ ଡାକ୍ତର ତଥା ସ୍ବାସ୍ଥ୍ୟକର୍ମୀଙ୍କ ବ୍ୟବହାର ପାଇଁ ଅଧିକ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି।

Share