କରୋନା ଭାଇରସ୍‌ରେ ସଂକ୍ରମିତ ରୁଷ ପ୍ରଧାନମନ୍ତ୍ରୀ: ଆଶୁ ଆରୋଗ୍ୟ କାମନା କଲେ ମୋଦି

ମସ୍କୋ/ନୂଆଦିଲ୍ଲୀ,୧।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ୨ଲକ୍ଷ ୨୮ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୩୨ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଧନୀ କି ଗରିବ, ଛୋଟ କିମ୍ବା ବୃଦ୍ଧ କେହି ଏହା କବଳରୁ ବର୍ତ୍ତି ପାରିନାହାନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ପରେ ଏବେ ରୁଷର ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଗୁରୁବାର ଏନେଇ ମିଖାଇଲ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ସୂଚନା ଦେଇଥିଲେ। ଏଥିସହ ସେ ସେଲ୍ଫ ଆଇସୋଲେଶନ୍‌ରେ ରହୁଛନ୍ତି ବୋଲି କହିଥିଲେ। ତେବେ ସେ ସଂକ୍ରମିତ ହେବା ପରେ ତାଙ୍କ କାର୍ଯଭାର ଅସ୍ଥାୟୀ ଭାବେ ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେ ବେଲୋଉସୋଭ ସମ୍ଭାଳିବେ ବୋଲି ମିଖାଇଲ୍‌ ପୁଟିନ୍‌ଙ୍କୁ ପ୍ରସ୍ତାବ ଦେଇଥିଲେ। ପୁଟିନ୍‌ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମିଖାଇଲ୍‌ଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି। ଅପରପକ୍ଷେ ଏହି ଖବର ଜାଣିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଟୁଇଟ କରି ମିଖାଇଲଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଲେଖିଛନ୍ତି, ଖୁବ୍‌ଶୀଘ୍ର ସୁସ୍ଥ ଓ ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ରୁଷ ପ୍ରଧାମନ୍ତ୍ରୀଙ୍କୁ ମୋର ଶୁଭକାମନା। କୋଭିଡ-୧୯ ମହାମାରୀକୁ ପରାସ୍ତ କରିବା ଉଦ୍ୟମରେ ଆମେ ଆମର ଘନିଷ୍ଠ ବନ୍ଧୁ ରଷକୁ ସମର୍ଥନ କରୁଛୁ ବୋଲି ମୋଦି କହିଛନ୍ତି।

Share