କରୋନା ଭାଇରସ୍‌ର ଏହି ଲକ୍ଷଣ ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି

ବର୍ଲିନ,୨୦।୩: କରୋନା ଭାଇରସ୍‌ର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି। ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ମହାମାରୀ ସହ ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ତିଆରି ହୋଇପାରି ନାହିଁ। ସୁରକ୍ଷା ଦୃଷ୍ଟିରୁ କେବଳ ଲୋକଙ୍କୁ ବିଭିନ୍ନ ପ୍ରକାରର ସାବଧାନତା ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସାଧାରଣ ଥଣ୍ଡା, କାଶ, ଜ୍ୱର, ଶରୀର ଘୋଳାବିନ୍ଧା ଭଳି ଲକ୍ଷଣ ଦେଖାଯାଉଛି। କିନ୍ତୁ ଏବେ ଏହାର କିଛି ନୂଆ ଲକ୍ଷଣ ଦେଖାଯାଇଛି। ଯାହା ଏବେ ବିଶ୍ୱର ବୈଜ୍ଞାନିକମାନଙ୍କର ଚିନ୍ତା ବଢ଼ାଇଦେଇଛି। ବୈଜ୍ଞାନିକଙ୍କ କହିବା ଅନୁସାରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଘ୍ରାଣଶକ୍ତି ଖରାପ୍‌ ହେଉଛି। ଏଥିସହ ସେମାନେ ଖାଦ୍ୟର ସ୍ବାଦ ମଧ୍ୟ କିଛି ଜାଣିପାରୁ ନ ଥିବା କୁହାଯାଉଛି। ଜର୍ମାନରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ପ୍ରାୟ ସମସ୍ତ ଲୋକଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ, ଏଥିରେ ସଂକ୍ରମିତ ହୋଇଥିବା ରୋଗୀ କିଛି ଦିନରୁ ଖାଦ୍ୟର ସ୍ବାଦ ଜାଣି ପାରୁ ନ ଥିବା ବେଳେ କୌଣସି ଗନ୍ଧ ମଧ୍ୟ ବାରି ପାରୁନାହାନ୍ତି ବୋଲି ବିଶେଷଜ୍ଞ ହେଣ୍ଡ୍ରିକ୍‌ ଷ୍ଟ୍ରିକ୍‌ କହିଛନ୍ତି। ଏହି ଲକ୍ଷଣ ଶରୀରରେ ଏତେ ବୃଦ୍ଧି ପାଇଥାଏ ଯେ, ଜଣେ ମା’ ନିଜ ପିଲାଙ୍କ ଡାଇପର ଗନ୍ଧ କି ଶାମ୍ପୁର ସୁଗନ୍ଧ ମଧ୍ୟ ଜାଣିପାରି ନ ଥାନ୍ତି। ଆଉ କେତେକଙ୍କ ମଧ୍ୟରେ ଡାଇରିଆ ସମସ୍ୟା ଦେଖାଦେଇଛି। ତେବେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଏହି ଲକ୍ଷଣ ବ୍ୟକ୍ତିଙ୍କଠାରେ କେବେଠାରୁ ଦେଖାଦେଇଥାଏ। କୁହାଯାଉଛି ସଂକ୍ରମିତ ହେବାର କିଛି ଦିନ ପରେ ହିଁ ଏସବୁ ଲକ୍ଷଣ ଦେଖାଯାଉଛି। ଅପରପକ୍ଷେ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଜର୍ମାନରେ ଅନ୍ୟ ବର୍ଷ ତୁଳନାରେ ଚଳିତବର୍ଷ କରୋନା ଭାଇରସ୍‌ ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ଦେଶରେ ଏହି ସଙ୍କଟ ୨ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଜର୍ମାନୀର ପବ୍ଲିକ ହେଲ୍‌ଥ ଏଜେସ୍ସି ଚେତାବନୀ ଦେଇଛି। ସୂଚନା ମୁତାବକ ଜର୍ମାନୀରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୭ହଜାରରୁ ଊର୍ଦ୍ଧ୍ୱ ଥିବା ବେଳେ ଏପର୍ଯ୍ୟନ୍ତ ୪୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Share