କରୋନା ଭାଇରସ୍‌ ଆତଙ୍କ: ପତିରାଜପୁର ମେଳା ବନ୍ଦ କରିବାକୁ ନିର୍ଦ୍ଦେଶ

ଖଇରା,୧୫।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ଐତିହାସିକ ପତିରାଜପୁର ମେଳା ଚାଲିବାର ମାତ୍ର ୫ଦିନ ଅତିକ୍ରାନ୍ତ ହୋଇଛି। କରୋନା ଭାଇରସ୍‌ ଆତଙ୍କ ଲାଗି ପ୍ରଶାସନ ପକ୍ଷରୁ ମେଳା ବନ୍ଦ କରିବା ଲାଗି ନିର୍ଦ୍ଦେଶ ହୋଇଛି। ଫଳରେ ଏଠାକୁ ଆସିଥିବା ୫ଶହ ବ୍ୟବସାୟୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଛି । ମାସେ ପାଇଁ ଜିନିଷ ପତ୍ର ମହଜୁଦ ରଖି ବିକ୍ରି ଆରମ୍ଭ କରିଥିବା ବ୍ୟବସାୟୀଙ୍କୁ ହଠାତ୍‌ ଏଭଳି ନିର୍ଦ୍ଦେଶ ସେମାନଙ୍କ ନିଦ ହଜାଇ ଦେଇଛି । ମାସେ ପାଇଁ ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀମାନଙ୍କୁ ଡାକି ଆଣିଥିବା ମେଳା କମିଟି ଏବେ କିଂକର୍ତ୍ତବ୍ୟମୂଢ଼ ହୋଇଛି। ଗୋଟିଏ ପଟେ ପ୍ରଶାସନର ଅଙ୍କୁଶ ଓ ଅନ୍ୟପଟେ ୫ଶହ ବ୍ୟବସାୟୀଙ୍କ ଦୁଃଖ । ଏଭଳି ପରିସ୍ଥିତିରେ ଆଉ କିଛି ଦିନ ମେଳା ଚଳାଇବାକୁ ଅନୁମତି ଦେବା ଲାଗି ଉଭୟ କମିଟି ଓ ବ୍ୟବସାୟୀଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ନିବେଦନ କରାଯାଇଛି ।
୩ ଶହ ବର୍ଷ ଧରି ଚାଲି ଆସୁଥିବା ଏହି ମେଳା ଦୋଳପୂର୍ଣ୍ଣମୀରୁ ଆରମ୍ଭ ହୋଇ ଅନୂ୍ୟନ ମାସେ ପର୍ଯ୍ୟନ୍ତ ବସିଥାଏ । ଓଡ଼ିଶାର ବରଗଡ଼, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର ସମେତ ବିଭିନ୍ନ ପ୍ରାନ୍ତରୁ ପାଖାପାଖି ୫ଶହ ଦୋକାନୀ ପସରା ମେଳିଥାନ୍ତି। ସ୍ଥାନୀୟ ଅଞ୍ଚଳ ବାସିନ୍ଦା ମଧ୍ୟ ବର୍ଷକ ପାଇଁ ଘରକରଣା, ଖାଦ୍ୟ, ବସ୍ତ୍ର ଆଦି ସରଞ୍ଜାମ କିଣି ରଖିଥାନ୍ତି । କରୋନା ଭାଇରସ ଆତଙ୍କକୁ ନେଇ ବାଲେଶ୍ୱର ଉପଜିଲାପାଳ ୧୪ତାରିଖରେ ମେଳା ବନ୍ଦ କରିବାକୁ କମିଟି ସମ୍ପାଦକ ଭରତ ଚନ୍ଦ୍ର ରାଉତଙ୍କୁ ଚିଠି କରିଛନ୍ତି, ଯାହାକି ବ୍ୟବସାୟୀଙ୍କୁ ହତାଶ କରିଛି। କୋଟି କୋଟି ଟଙ୍କାର ଜିନିଷ ଆଣି ପୁଣି ଏହାକୁ ନେଇ ଫେରିଯିବା ଚିନ୍ତା ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଏଭଳି ନିଷ୍ପତ୍ତି ଅତ୍ୟନ୍ତ ହୃଦୟବିଦାରକ ବୋଲି ଚାର୍ଟ ଦୋକାନୀ ରତିକାନ୍ତ ପୁହାଣ କହିଛନ୍ତି । କରୋନା ବହୁ ପୂର୍ବରୁ ଆରମ୍ଭ ହୋଇଥିଲା। ଆସିବା ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲେ ଏଭଳି ଦୁର୍ଭାଗ୍ୟଜନକ ପରିସ୍ଥିତି ସାମ୍‌ନା କରିବାକୁ ପଡି ନ ଥାନ୍ତା ବୋଲି ଚଣା ବ୍ୟବସାୟୀ ମଣିରାମ ସାହୁ କହିଛନ୍ତି।