କରୋନା ଭାଇରସ୍‌ ପାଇଁ ଚାଇନା ଯାତ୍ରୀଙ୍କ ଭିଜା ଉପରେ କଟକଣା ଲଗାଇଲା ଶ୍ରୀଲଙ୍କା

କଲମ୍ବୋ,୨୮।୧: ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଦେଶର ପ୍ରଥମ କରୋନା ଭାଇରସ୍‌ ଚିହ୍ନଟ ହେବାର ଗୋଟିଏ ଦିନ ପରେ ଶ୍ରୀଲଙ୍କା ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ଶ୍ରୀଲଙ୍କାକୁ ଆଗମନ କରୁଥିବା ଚାଇନା ଯାତ୍ରୀଙ୍କର ଭିଜା ନୀତି ଉପରେ ବର୍ତ୍ତମାନ କଟକଣା ଲଗାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର ଜଣେ ୪୦ ବର୍ଷୀୟ ଚାଇନା ମହିଳାଙ୍କ ଭିତରେ କରୋନା ଭାଇରସ୍‌କୁ ଚିହ୍ନଟ କରାଯାଇଥିଲା। ବିମାନ ବନ୍ଦରରୁ ବାହାରିବା ପରେ ଉକ୍ତ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଯାଞ୍ଚ ସମୟରେ ତାଙ୍କ ଭିତରେ ଭାଇରସ୍‌ ଥିବା ନେଇ ଜଣାପଡ଼ିଥିଲା ବୋଲି ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖ୍ୟ ଡାକ୍ତର ସୁଦଥ ସୁରାଓ୍ବିରା କହିଛନ୍ତି। ଏହାପରେ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ଭାଇରସ୍‌ର ପ୍ରଥମ ମାମଲା ଆସିବା ପରେ ଚାଇନା ନାଗରିକଙ୍କ ପାଇଁ ଦେଶକୁ ଆଗମନ ଭିଜା ନୀତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଶ୍ରୀଲଙ୍କାର ସ୍ବାସ୍ଥ୍ୟ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏଣିକି ଚାଇନା ଯାତ୍ରୀ ଅନ୍‌ଲାଇନ୍‌ ଜରିଆରେ ନିଜର ଭିଜା ପାଇଁ ଆବେଦନ କରିପାରିବେ।

Share