କରୋନା ଭାଇରସ୍‌ ମୁକାବିଲା: ନିମୋନିଆ ରୋଗୀଙ୍କ ହେବ ଯାଞ୍ଚ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତ ସରକାର ନିଜର ରଣନୀତିରେ ପରିବର୍ତ୍ତନ ଆଣିଛନ୍ତି। ଏବେ ସମସ୍ତ ହସ୍ପିଟାଲରେ ନିମୋନିଆ ରୋଗୀଙ୍କର ମଧ୍ୟ କରୋନା ଭାଇରସ୍‌ ସଂକ୍ରମଣ ନେଇ ଯାଞ୍ଚ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସବୁ ରାଜ୍ୟକୁ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। କରୋନା ଭାଇରସ୍‌ ସନ୍ଦିଗ୍ଧଙ୍କ ବିଷୟରେ ତୁରନ୍ତ ଏନ୍‌ସିଡିସି ଓ ଆଇଡିଏସ୍‌ପିଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମସ୍ତ ମେଡିକାଲ ଓ ମେଡିକାଲ କଲେଜ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ମାସ୍କ, ଭେଣ୍ଟିଲେଟର ଓ ଅକ୍ସିଜେନ୍‌ ସାଇତିକି ରଖିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ସୁସ୍ଥ ହେଉଥିବା ରୋଗୀଙ୍କୁ ଶୀଘ୍ର ଡିସଚାର୍ଜ କରାଯାଇ ନୂଆ ରୋଗୀଙ୍କ ପ୍ରବେଶ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି।

Share