କରୋନା ଭାଇରସ: ଇରାନରେ କଏଦୀଙ୍କୁ କରାଗଲା ମୁକ୍ତ

ତେହେରାନ,୧୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱର ପାଖାପାଖି ୧୦୦ ଦେଶକୁ ବ୍ୟାପିଯାଇଥିବା ସୂଚନା ମିଳିଛି। ଏହା ଦ୍ରୁତଗତିରେ ବ୍ୟାପୁଥିବାରୁ ଓ ଏହାର ସଠିକ୍‌ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ମିଳି ନ ଥିବାରୁ ସାରା ବିଶ୍ୱ ପାଇଁ ଏହା ଚିନ୍ତାର କାରଣ ପାଲଟି ଯାଇଛି। ଚାଇନା ପରେ ଏବେ ଇଟାଲି, ଇରାନ ଓ ଦକ୍ଷିଣ କୋରିଆରେ ଏହାର ପ୍ରକୋପ ଅଧିକ ଥିବା ଲକ୍ଷ୍ୟ କରାଯାଇଛି। ଇରାନରେ କରୋନା ଭାଇରସ ସଂକ୍ରମଣରେ ଏବେସୁଦ୍ଧା ପ୍ରାୟ ୨୩୭ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହାର ଭୟାବହତାକୁ ଦେଖି ସେଠାକାର ଜେଲରେ ଥିବା ପ୍ରାୟ ୭୦ ହଜାର କଏଦୀଙ୍କୁ ମୁକ୍ତ କରାଯାଇଥିବା ସୂଚନା ମିଳିଛି। ଇରାନର ଏକ ଓ୍ବେବସାଇଟ ମାଧ୍ୟମରେ ଏହି ସୂଚନା ମିଳିଛି। ତେବେ କଏଦୀମାନଙ୍କୁ ମୁକ୍ତ କରିବା ପରେ ସମାଜରେ ଯେମିତି କୌଣସି ଅଘଟଣ ନ ଘଟେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି। ଏମାନଙ୍କୁ ପୁଣି କେବେ ଜେଲକୁ ଫେରାଇ ଅଣାଯିବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

Share