କରୋନା ଭାଇରସ: ଓଲ୍ଡ ଏଜ୍‌ ହୋମ ପାଲଟିଛି ହଟ୍‌ସ୍ପଟ୍‌

ମୋନଟ୍ରିଆଲ,୨୫।୪: କରୋନା ଭାଇରସ ସଂକ୍ରମଣରେ ପଛରେ ପଡିନି କାନାଡା। ଏଠାରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ପାଖାପାଖି ହେଲାଣି। ଏହାସହ ୨,୩୦୦ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି। ଏଠାରେ ମୃତ୍ୟୁ ଘଟୁଥିବା ଅଧିକାଂଶ ଲୋକଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ୬୩ ପ୍ରତିଶତ ଲୋକ ଓଲ୍ଡ ଏଜ୍‌ ହୋମରେ ରହୁଥିବା ଜଣାପଡିଛି। ଏଇଠି ପ୍ରଶ୍ନ ଉଠିଛି ଇଟାଲୀ, ସ୍ପେନ, ଲଣ୍ଡନ ଓ ଆମେରିକା ଭଳି କାନାଡାରେ ମଧ୍ୟ କ’ଣ ବୁଢା ଲୋକଙ୍କୁ ମରିବା ପାଇଁ ଛାଡି ଦିଆଯାଉଛି। ମିଳିଥିବା ସୂଚନାରୁ ଜଣାପଡେ କାନାଡାର ରାଜଧାନୀ ମୋନଟ୍ରିଆଲରେ ଏବେସୁଦ୍ଧା ସର୍ବାଧିକ ଲୋକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଏଠାକାର ଓଲ୍ଡ ଏଜ୍‌ ହୋମର ଜଣେ କର୍ମଚାରୀ ନେଟଲି ଷ୍ଟେକ ଡୁଶେଟଙ୍କ ମତରେ ସେଠାରେ ଥିବା ସମସ୍ତ ୧୮୦ ଜଣ ବରିଷ୍ଠ ନାଗରିକ କରୋନାରେ ପୀଡିତ। ଅବଶ୍ୟ ଏକଥା ସେମାନେ ଜାଣିଥିଲେ ବୋଲି ସେ କୁହନ୍ତି। ହେଲେ ଏକଥା ଉପରେ କେହି ଗୁରୁତ୍ୱ ଦେଇ ନ ଥିଲେ ବୋଲି ସେ କର୍ମଚାରୀ ଜଣକ କହିଛନ୍ତି। ଅଲ ଜଜିରାକୁ ଦେଇଥିବା ଏକ ଟେଲିଫୋନ ସାକ୍ଷାତ୍‌କାରରେ ସେ କହିଛନ୍ତି ଓଲ୍ଡ ଏଜ୍‌ ହୋମରେ ହସ୍ପିଟାଲ ଭଳି କୌଣସି ସୁବିଧା ନାହିଁ। ତେଣୁ ଏଠାରେ କରୋନା ସଂକ୍ରମଣ ଜଙ୍ଗଲରେ ଲାଗିବା ନିଆଁ ଭଳି ବ୍ୟାପିଯାଇଛି। କନାଡା ଗଣମାଧ୍ୟମର ସୂଚନା ଅନୁଯାୟୀ, ଓଲ୍ଡ ଏଜ ହୋମରେ କୌଣସି ସୁବିଧା ନ ଥିବାରୁ ଏଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହେଉଛି। ସରକାର ଏ ଦିଗରେ ଧ୍ୟାନ ନ ଦେଉଥିବା ଅଭିଯୋଗ ମଧ୍ୟ ହେଲାଣି।

Share