ପ୍ରୟାଗରାଜ,୫।୩: କରୋନା ଭାଇରସ ଚାଇନାରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ଭାରତ ସମେତ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ଆଧ୍ୟାତ୍ମିକ ଗୁରୁ ମୋରାରି ବାପୁ ମଜାଳିଆ ଢଙ୍ଗରେ ଶ୍ରଦ୍ଧାଳୁଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ବୁଧବାର ପ୍ରୟାଗରାଜରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋରାରି କହିଛନ୍ତି, କରୋନା ଭାଇରସ ଚାଇନାରୁ ଆସିଥିବାରୁ ଏହା ବେଶିଦିନ ତିଷ୍ଠି ପାରିବ ନାହିଁ। କାରଣ ଚାଇନାର ସମସ୍ତ ଜିନିଷର ଆୟୁଷ ସାଧାରଣ ଭାବେ କମ୍ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ସେ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଏକ ମଜାଳିଆ କଥା କହିଛନ୍ତି। ସେ କହିଛନ୍ତି ଟ୍ରମ୍ପ ଭାରତ ଗସ୍ତ କରିବା ପୂର୍ବରୁ ଅନୁମାନ ଲଗାଇଥିଲେ କି ତାଙ୍କ ରୋଡ ଶୋ’ରେ ୭୦ ଲକ୍ଷ ଲୋକ ତାଙ୍କୁ ସ୍ବାଗତ କରିବେ। ହେଲେ ଶେଷରେ ମାତ୍ର ୧ଲକ୍ଷ ଲୋକ ତାଙ୍କୁ ସ୍ବାଗତ କରିଥିଲେ। ଅବଶ୍ୟ ଆମେରିକାର ୧ ଡଲାରର ମୂଲ୍ୟ ଭାରତରେ ପାଖାପାଖି ୭୦ ଟଙ୍କା ହୋଇଥିବାରୁ ଟ୍ରମ୍ପ ୭୦ ଲକ୍ଷ ବଦଳରେ ୧ ଲକ୍ଷରେ ସନ୍ତୁଷ୍ଟ ହୋଇଯାଇଥିବା କହିଥିଲେ ମୋରାରି ବାପୁ।