Categories: ଜାତୀୟ

କରୋନା ଭାଇରସ: ଜାପାନ ଜାହାଜରେ ଫସିଥିବା ୧୧୯ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ପହଞ୍ଚିଲେ

ନୂଆଦିଲ୍ଲୀ,୨୭।୨: ଚାଇନାର ଉହାନ ସହରରେ ଫଶି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଯାଇଥିବା ବାୟୁସେନାର ସ୍ବତନ୍ତ୍ର ବିମାନ ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିଛି। ଏହାସହ ଜାପାନ ଉପକୂଳରେ ଲାଗିଥିବା ଡାଇମଣ୍ଡ ପ୍ରିନସେସ୍‌ ଜାହାଜରେ କରୋନା ଭାଇରସ ଯୋଗୁ ଫଶି ରହିଥିବା ୧୧୯ ଭାରତୀୟଙ୍କୁ ମଧ୍ୟ ବାୟୁସେନା ବିମାନରେ ଏୟାର ଲିପ୍ଟ କରାଯାଇ ଦିଲ୍ଲୀ ଅଣାଯାଇଛି। ଏମାନଙ୍କ ସହ କେତେଜଣ ବିଦେଶୀ ନାଗରିକଙ୍କୁ ମଧ୍ୟ ବାୟୁସେନା ବିମାନରେ ଭାରତ ଅଣାଯାଇଛି। ଏମାନଙ୍କ ମଧ୍ୟରେ ୧୬ ଜଣ କରୋନା ଭାଇରସରେ ସଂକ୍ରମିତ ଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି। କାଳେ ଏମାନଙ୍କ ମଧ୍ୟରୁ ଆଉ କେହି ଏଥିରେ ପୀଡିତ ହୋଇଥିବେ ଏହାକୁ ଦୃଷ୍ଟିରେ ରଖି ବାୟୁସେନାରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ୧୪ ଦିନ ପାଇଁ ହରିୟାଣାରେ ସେନା ଦ୍ୱାରା ନିର୍ମାଣ କରାଯାଇଥିବା ଚିକିତ୍ସା ଶିବିରରେ ରଖାଯିବ। ଏମାନଙ୍କର ସମସ୍ତ ପ୍ରକାର ସ୍ବାସ୍ଥ ପରୀକ୍ଷା କରାଯିବା ପରେ ସୁସ୍ଥ ଥିବା ନାଗରିକଙ୍କୁ ଘରକୁ ଯିବାକୁ ଅନୁମତି ମିଳିବ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ବିଦେଶି ଭାବେ ବାଂଲାଦେଶ, ମ୍ୟାନମାର, ମାଲଡିଭିସ, ସାଉଥ୍‌ ଆଫ୍ରିକା, ଆମେରିକା ଓ ମାଡାଗାସକରର ନାଗରିକ ରହିଛନ୍ତି। ସୂଚନାଯୋଗ୍ୟ, ଚାଇନାରେ ଏବେ କରୋନା ଭାଇରସରେ ୨,୭୪୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୭ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଛନ୍ତି।

Share