Categories: ଖେଳ

କରୋନା ଭାଇରସ ଡର: ଖେଳାଳିଙ୍କ ଲାଗି ନିୟମ

ନୂଆଦିଲ୍ଲୀ,୧୨।୩- ବିଶ୍ୱବ୍ୟାପୀ ଦେଖା ଦେଇଥିବା କରୋନା ଭାଇରସନ ଆତଙ୍କ କ୍ରୀଡ଼ା ଉପରେ ବ୍ୟାପକ ଭାବେ ପ୍ରଭାବ ପକାଇଛି। କେତେକ ବଡ଼ ଇଭେଣ୍ଟ ବାତିଲ ହୋଇଥିବା ବେଳେ ଆଉ କେତେକ କ୍ରୀଡ଼ା ପ୍ରଭାବିତ ହୋଇଛି। ଭାରତ- ଦକ୍ଷିଣ ଆଫ୍ରିକା ସିରିଜ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଗୁରୁବାର ଧର୍ମଶାଳାଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଖେଳାଳିଙ୍କ ପାଇଁ କେତେକ ନିୟମ ଧାର୍ଯ୍ୟ କରାଯାଇଛି।
ଏହି ସିରିଜ୍‌ ଲାଗି ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ଦଳ ପ୍ରଶଂସକଙ୍କଠାରୁ ଦୂରେଇ ରହିବ। ଏଣୁ କୌଣସି ପ୍ରଶଂସକ କିମ୍ବା ହୋଟେଲ କର୍ମକର୍ତ୍ତା କିମ୍ବା ଅନ୍ୟ କେହି ଖେଳାଳିଙ୍କ ସହ ସେଲ୍‌ଫି ନେବେନାହିଁ କିମ୍ବା ହାତ ମିଳାଇବେ ନାହିଁ। ଦକ୍ଷିଣ ଆଫ୍ରିକା ଦଳର ଖେଳାଳିଙ୍କୁ ସଭିଙ୍କଠୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଖେଳାଳିମାନେ ବାହାର ଖାଦ୍ୟ ନ ଖାଇବାକୁ କୁହାଯାଇଛି। କୌଣସି ଅଜଣା ଲୋକଙ୍କ ମୋବାଇଲ ନ ଧରିବାକୁ ମଧ୍ୟ କୁହାଯାଇଛି। ସବୁ ଖେଳାଳି, ଟିମ୍‌ ଷ୍ଟାଫ୍‌, ରାଜ୍ୟ ସଂଘକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ସବୁ ନିର୍ଦ୍ଦେଶ ତଥା ନିୟମାବଳୀ ସଂକ୍ରାନ୍ତରେ ଅବଗତ କରାଯାଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ବଲ୍‌କୁ ଚମ୍‌କାଇବା ପାଇଁ ସେଥିରେ ଖେଳାଳିମାନେ ଲାଳ କିମ୍ବା ଛେପ ଲାଗାଇଥାନ୍ତି। ତେବେ ଭାରତୀୟ ଖେଳାଳିମାନେ ଏଭଳି କିଛି କରିବେ ନାହିଁ ବୋଲି ଦ୍ରୁତ ବୋଲର ଭୁବନେଶ୍ୱର କୁମାର କହିଛନ୍ତି। ଫଳରେ ଦ୍ରୁତ ବୋଲରମାନେ ସମସ୍ୟାରେ ପଡିବେ।

Share