କରୋନା ଭାଇରସ ପାଇଁ ଟିକା ନୁହେଁ ଯଥେଷ୍ଟ: ସାର୍ସ-ମର୍ସଠାରୁ ଅଧିକ ବେଗରେ ହେଉଛି ସଂକ୍ରମଣ!

ନୂଆଦିଲ୍ଲୀ,୨୫।୪: କରୋନା ଭାଇରସର ଚିକିତ୍ସା ପାଇଁ ଏବେ ସାରା ବିଶ୍ୱର ବିକାଶଶୀଳ ଦେଶ ଗବେଷଣାରେ ଲାଗି ପଡିଛନ୍ତି। ଏହାର ଭ୍ୟାକସିନ୍‌ ଓ ଔଷଧ ପ୍ରସ୍ତୁତି ଯେତେଶୀଘ୍ର ସମ୍ଭବ ହେବ ସେତେ ଶୀଘ୍ର କରୋନା କବଳରୁ ମୁକ୍ତି ମିଳିବ ବୋଲି କୁହାଯାଉଛି। ଏହିକ୍ରମରେ ଏବେ କିଛି ଦେଶ କରୋନା ଭାଇରସ ପାଇଁ ଭ୍ୟାକସିନ୍‌ ବା ଟିକା ପ୍ରସ୍ତୁତ କରୁଥିବା ନଜର ଆସିଛି। ହେଲେ ଏହାକୁ ନେଇ ଏବେ କେତେଜଣ ଗବେଷକ କହିଛନ୍ତି କରୋନା ପାଇଁ ଭ୍ୟାକସିନ ବା ଟିକା ଯଥେଷ୍ଟ ନୁହେଁ। କାରଣ ଏହାର ସଂକ୍ରମଣ ଏତେ ଦ୍ରୁତ ଗତିରେ ହେଉଛି ଯେ ଏହାକୁ ଟିକା ଦ୍ୱାରା ଆୟତ୍ତ କରିବା କଷ୍ଟକର ବ୍ୟାପାର। ଏବେ ଚାଲିଥିବା ଗବେଷଣାକୁ ଦେଖିଲେ ୭୫ ପ୍ରତିଶତ ଗବେଷକ ଏହାର କ୍ଲିନିକାଲ ଟ୍ରାଏଲ କରିବା ଲକ୍ଷ୍ୟରେ ଅଛନ୍ତି। ଯେଉଁଠି ଅକ୍ସଫୋର୍ଡ ୟୁନିଭର୍ସିଟି ଏମିତି କିଛି ଟିକା ମଣିଷ ଉପରେ ମଧ୍ୟ ପରୀକ୍ଷା ଆରମ୍ଭ କରିଥିବା କହିଛି। ଏଥିରେ ଭାରତୀୟ ବିଶେଷଜ୍ଞମାନେ ବି ସାମିଲ ଅଛନ୍ତି। ଏହି ଗବେଷଣାରେ ସାମିଲ ଥିବା ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭିରୋଲୋଜି(ଏନ୍‌ଆଇଭି)ର ଜଣେ ବିଶେଷଜ୍ଞ କହିଛନ୍ତି, ଗତ ୧୭ ବର୍ଷ ମଧ୍ୟରେ ଆଉ ଦୁଇଟି କରୋନା ଭାଇରସ ସାର୍ସ ଓ ମର୍ସକୁ ବି ଆମେ ଦେଖିଛୁ। ହେଲେ କରୋନା ଭାଇରସ ଏହାଠାରୁ ବେଶ୍‌ ଅଧିକ ଗୁଣ ସଂକ୍ରମଣ ହେବାର କ୍ଷମତା ରଖିଛି। ତେଣୁ ଭ୍ୟାକସିନ ବା ଟିକା ଦ୍ୱାରା ଏହାକୁ ମୂଳପୋଛ କରିବା ଅସମ୍ଭବ ହୋଇପାରେ ବୋଲି ସେ ମତ ଦେଇଛନ୍ତି। ସେ କହିଛନ୍ତି କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଆମକୁ ଅଧିକ ଆଣ୍ଟିଭାଇରାଲ ଔଷଧ ସହ ଦୀର୍ଘଦିନ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱକୁ ପାଳନ କରିବାକୁ ପଡିବ।

Share