କରୋନା ଭାଇରସ: ପାଖରେ ବସିଲେ ହୋଇପାରେ ୬ମାସ ଜେଲ

ସିଙ୍ଗାପୁର,୨୮।୩: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାଗ୍ରସ୍ତ। ଏଥିରୁ ମୁକୁଳିବାକୁ ସମସ୍ତେ ବାଟ ଖୋଜୁଥିବା ବେଳେ ଏପଟେ କିନ୍ତୁ ଏହା ବଢି ବଢି ଚାଲିଛି। ଚାଇନା ପରେ ଏବେ ଇଟାଲୀ ଓ ଆମେରିକାରେ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଏହା ଅନେକଙ୍କୁ ଭୟଭୀତ କରାଇଛି। ଏହାକୁ ନେଇ ପ୍ରାୟ ସବୁ ଦେଶରେ କିଛି ନା କିଛି ନିୟମ କରାଯାଇଛି। ଗୋଟିଏ ପଟେ ସାରା ବିଶ୍ୱ ଲକ୍‌ଡାଉନ୍‌ ହୋଇଯାଇଥିବା ବେଳେ ଅନ୍ୟପଟେ ବ୍ରେକ୍‌ ଦ ଚେନ୍‌ ନିୟମ ପାଳନ କରିବାକୁ କୁହାଯାଇଛି। ତେବେ କରୋନାକୁ ନେଇ ସିଙ୍ଗାପୁର ସରକାର ମଧ୍ୟ କିଛି ନିୟମ ପାଳନ କରିବାକୁ କହିଛନ୍ତି। ପାଖାପାଖି ବସିଲେ ଏଣିକି ସିଙ୍ଗାପୁର ଲୋକଙ୍କୁ ୬ ମାସର ଜେଲ୍‌ଦଣ୍ଡ ନଚେତ୍‌ ପାଖାପାଖି ୫ଲକ୍ଷ ୨୪ ହଜାର ଟଙ୍କାର ଜରିମାନା ଦେବାକୁ ପଡିପାରେ ବୋଲି କୁହାଯାଉଛି। ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମ ଜାରି କରାଯାଇଥିବା କୁହାଯାଉଛି। ମାର୍ଚ୍ଚ ୨୭ରେ ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇ ଏହି ନିର୍ଦ୍ଦେଶ ଦିଆଯାଇଛି। ପବ୍ଲିକ୍‌ ପ୍ଲେସରେ ଏକାଠି ନ ବସି ଦୂରତା ରକ୍ଷା କରିବାକୁ କୁହାଯାଇଛି। ସିଙ୍ଗାପୁର ସରକାରଙ୍କ ମତରେ ଲକ୍‌ଡାଉନ୍‌ ନ କରି ପରସ୍ପର ମଧ୍ୟରେ ଦୂରତା ରକ୍ଷା କଲେ ଦେଶର ଆର୍ଥିତ ସ୍ଥିତି ଭଲ ରହିବା ସହ ଇନଫେକ୍ସନ ବି କମ୍‌ ହେବ।

Share