କରୋନା ଭାଇରସ: ପ୍ରଥମ ଦେଶ ଭାବେ ଆମେରିକାରେ ଗୋଟିଏ ଦିନରେ ଗଲା ୨ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ

ଓ୍ବାଶିଂଟନ,୧୧।୪: ସାରା ବିଶ୍ୱରେ ଏବେ କାୟା ବିସ୍ତାର କରିଛି କରୋନା ଭାଇରସ। ଆମେରିକାରେ ଏହା ଥମିବାର ନାଁ ନେଉ ନ ଥିବା ବେଳେ ଏବେ ସେଠାରେ କରୋନାକୁ ନେଇ ହୋଇ ଚାଲିଛି ଗୋଟିଏ ପରେ ଗୋଟିଏ ରେକର୍ଡ। ଗତ ୨୪ ଘଣ୍ଟାରେ ଅର୍ଥାତ୍‌ ଗୋଟିଏ ଦିନରେ ଆମେରିକାରେ ୨,୧୦୮ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି ଜନ୍ସ ହପକିନ୍ସ ୟୁନିଭର୍ସିଟି। ଗୋଟିଏ ଦିନରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାରେ ଆମେରିକା ଏବେ ପ୍ରଥମ ଦେଶ ଭାବେ ଇତିହାସରେ ନିଜର ନାଁ ଲେଖିଛି। ସୂଚନାଯୋଗ୍ୟ, ଏବେ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୨ ହଜାର ୮୭୬ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ପହଞ୍ଚିଲାଣି ୧୮,୭୪୭ରେ। ନ୍ୟୁୟର୍କ ସହରରେ ପ୍ରତିଦିନ ୫ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଏଠାରେ ଏକ କବର ସ୍ଥାନର ଅଭାବ ପଡୁଥିବା କୁହାଯାଉଛି। ତେଣୁ କରୋନା ସଂକ୍ରମଣରେ ନ୍ୟୁୟର୍କ ସହର ବେଶୀ ପ୍ରଭାବିତ ହୋଇଛି।

Share