Categories: ଖେଳ

କରୋନା ଭାଇରସ ପ୍ରଭାବ: ଭାରତୀୟ ମହିଳା ହକି ଦଳର ଚାଇନା ଗସ୍ତ ବାତିଲ

ନୂଆଦିଲ୍ଲୀ,୭।୨(ପି.ଟି.)- କରୋନା ଭାଇରସ ଯୋଗୁ ଭାରତୀୟ ମହିଳା ହକି ଦଳର ଚାଇନା ଗସ୍ତ ବାତିଲ କରାଯାଇଛି। ଏଥିଯୋଗୁ ହକି ଇଣ୍ଡିଆ (ଏଚ୍‌ଆଇ) ସମସ୍ୟାରେ ଘେରି ହୋଇଯାଇଛି। ଅଲିମ୍ପିକ୍ସ ପୂର୍ବରୁ ମହିଳା ଦଳର ପ୍ରସ୍ତୁତି ପାଇଁ ଏଚ୍‌ଆଇକୁ ଏବେ ନୂଆ ପ୍ରତିଦ୍ୱନ୍ଦ୍ୱୀ ଖୋଜିବାକୁ ପଡ଼ିବ। ଭାରତୀୟ ମହିଳା ଦଳ ମାର୍ଚ୍ଚ ୧୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଇନା ଗସ୍ତ କରିବାର ଥିଲା। କିନ୍ତୁ କରୋନା ଭାଇରସ ଯୋଗୁ ଚାଇନାରେ ୬୩୬ ଜଣଙ୍କ ମୃତ୍ୟୁ ହୋଇସାରିଛି। ଭାଇରସ କାରଣରୁ ଆମେ ଚାଇନା ଗସ୍ତ କରିବୁ ନାହିଁ। ବହୁ ଦଳ ଏବେ ପ୍ରୋ ହକି ଲିଗ୍‌ରେ ଭାଗ ନେଉଥିବାରୁ ସେମାନେ ଉପଲବ୍ଧ ନାହାନ୍ତି। ଏଚ୍‌ଆଇ ଓ ଆମ କୋଚ୍‌ମାନେ କେଉଁ ଦଳ ସହ ଆମେ ଖେଳିପାରିବୁ, ସେ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ଭାରତୀୟ ଅଧିନାୟିକା ରାଣୀ ରାମ୍‌ପାଲ କହିଛନ୍ତି। ଆର୍ଜେଣ୍ଟିନା, ବେଲଜିୟମ, ଅଷ୍ଟ୍ରେଲିଆ, ଚାଇନା, ଗ୍ରେଟ ବ୍ରିଟେନ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଆମେରିକା ଭଳି ଟପ୍‌ ଦଳ ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗ୍‌ରେ ଭାଗନେଇପାରିବେ। ଅଲିମ୍ପିକ୍ସକୁ ଆଉ ମାତ୍ର ୫ ମାସ ବାକିଥିବାବେଳେ ଅଭ୍ୟାସର ଗୁରୁତ୍ୱ ବଢ଼ୁଛି। ଭଲ ପ୍ରସ୍ତୁତି ଲାଗି ଆମକୁ ଶକ୍ତିଶାଳୀ ଦଳ ସହ ଖେଳିବା ଦରକାର ବୋଲି ରାଣୀ କହିଛନ୍ତି। ଗତବର୍ଷ ଭାରତୀୟ ଦଳ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆମେରିକାକୁ ହରାଇ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଥିଲା। ଭାରତୀୟ ମହିଳା ହକି ଦଳ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବ।

Share