Categories: ଖେଳ

କରୋନା ଭାଇରସ ପ୍ରଭାବ: ରୁଦ୍ଧଦ୍ୱାରରେ ହେବ ସୁମୋ ଟୁର୍ନାମେଣ୍ଟ

ଟୋକିଓ,୧ା୩(ଏଏଫ୍‌ପି)-କରୋନା ଭାଇରସ ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ସୁମୋ ସ୍ପ୍ରିଙ୍ଗ୍‌ ଟୁର୍ନାମେଣ୍ଟ ରୁଦ୍ଧଦ୍ୱାର ମଧ୍ୟରେ ହେବ। ଏହି ଖେଳର ପରିଚାଳନା ପରିଷଦ ରବିବାର ପ୍ରକାଶ କରିଛି। ସୁମୋ ଟୁର୍ନାମେଣ୍ଟ ମାର୍ଚ୍ଚ ୮ରୁ ୨୨ ପର୍ଯ୍ୟନ୍ତ ଓସାକାଠାରେ ଅନୁଷ୍ଠିତ ହେବ। ଏଥିରୁ ଦର୍ଶକଙ୍କୁ ବଞ୍ଚତ୍ତ କରାଯାଇଛି। କରୋନା ଭାଇରସ ସଂକ୍ରମଣରୁ ରୋକିବା ଅଭିପ୍ରାୟ ନେଇ ଏହି ନିଷ୍ପତ୍ତି ନିଆଯାଇଥିବା ଜାପାନ ସୁମୋ ଆସୋସିଏଶନ କହିଛି। ଜାପାନରେ କରୋନା ଭାଇରସରେ ୨୩୦ ସଂକ୍ରମିତ ହୋଇଥିବାବେଳେ ଇତିମଧ୍ୟରେ ୫ଜଣଙ୍କର ମୃତ୍ୟୁ ଘଟିଛି। ଜାପାନରେ ମାର୍ଚ୍ଚ ୬ ଓ ୭ରେ ଆୟୋଜକ ଦେଶ ଏବଂ ଇକ୍ୱେଡର ମଧ୍ୟରେ ଡେଭିସ୍‌ କପ୍‌ ମ୍ୟାଚ ରୁଦ୍ଧଦ୍ୱାରରେ ଖେଳାଯିବ ବୋଲି ଇଣ୍ଟରନ୍ୟାଶନାଲ ଟେନିସ ଫେଡେରେଶନ (ଆଇଟିଏଫ୍‌) ଘୋଷଣା କରିବା ପରେ ସୁମୋ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଦେଶର ଟପ୍‌ ଫୁଟ୍‌ବଲ ପ୍ରତିଯୋଗିତା ଜେ-ଲିଗ୍‌ର ସମସ୍ତ ମ୍ୟାଚ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସ୍ପ୍ରିଙ୍ଗ୍‌ ସୁମୋ ଟୁର୍ନାମେଣ୍ଟର ସମସ୍ତ ଟିକେଟ ବିକ୍ରି ସରିଥିଲା। ଜାପାନର ପଶ୍ଚିମାଞ୍ଚଳ ସହର ଓସାକାରେ ଏହି ଟୁର୍ନାମେଣ୍ଟକୁ ଦୈନିକା ହାରାହାରି ୭,୦୦୦ ଦର୍ଶକ ଉପଭୋଗ କରିଥାନ୍ତେ। ଜାପାନରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଜୁଲାଇ ୨୪ରୁ ହେବ। କରୋନା ଭାଇରସ ପାଇଁ ଏହି ଇଭେଣ୍ଟର ସଫଳ ଆୟୋଜନ ଦେଶ ପାଇଁ ଚିନ୍ତାର କାରଣ ହୋଇଛି।

Share