କରୋନା ଭାଇରସ: ବ୍ରାଜିଲରେ ୨୪ ଘଣ୍ଟାରେ ୨୫ ହଜାର ନୂଆ ସଂକ୍ରମିତ

ବ୍ରାସିଲିୟା,୩୦।୫: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଯେତେବେଳେ ବିଶ୍ୱକୁ ବ୍ୟାପିକା ଆରମ୍ଭ କରିଥିଲା ସେତେବେଳେ ବ୍ରାଜିଲରେ ହାତ ଗଣତି କେତୋଟି ଘଟଣା ଦେଖିବାକୁ ମିଳିଥିଲା। ହେଲେ ଏବେ ସେଠାରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୫ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୁରୁବାର ୨୪ ଘଣ୍ଟା ମଧ୍ୟରେ ୨୬,୪୧୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ବ୍ରାଜିଲରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୩୮,୨୩୮ରେ ପହଞ୍ଚିଛି। ଏହାସହ ସେଠାରେ କରୋନା ମୃତ୍ୟୁ ସଂଖ୍ୟା ୨୬,୭୫୪ରେ ପହଞ୍ଚିଛି। ମାର୍ଚ୍ଚ ଶେଷ ବେଳକୁ ବ୍ରାଜିଲରେ ମାତ୍ର ୩ ହଜାର କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ରାଷ୍ଟ୍ରପତି କହିଥିଲେ କରୋନାକୁ ଭୟ ନ କରି ସମସ୍ତେ ସେମାନଙ୍କ କାମ ଆରମ୍ଭ କରନ୍ତୁ। ଏହାକୁ ଅଯଥାରେ ମହାମାରୀ ବୋଲି କୁହାଯାଉଥିବା ବେଳେ ଏହା ସେମିତି କିଛି ନୁହେଁ। ହେଲେ ଏବେ କରୋନା ଭାଇରସ କେତେ ଭୟାବହ ତାହା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ସହଜରେ ଅନୁମାନ କରାଯାଇ ପାରୁଛି।

Share