Categories: ଖେଳ

କରୋନା ଭାଇରସ ଭୟ: ବିଶ୍ୱକପ୍‌ରୁ ଓହରିଲେ ଚାଇନିଜ ଜିମ୍ନାଷ୍ଟ

ମେଲବୋର୍ନ,୧୫।୨- ଚାଇନିଜ ଜିମ୍ନାଷ୍ଟିକ୍ସ ଦଳ ଅଷ୍ଟ୍ରେଲିଆର ମେଲବୋର୍ନଠାରେ ଆଗାମୀ ସପ୍ତାହରେ ହେବାକୁ ଥିବା ବିଶ୍ୱକପ୍‌ରୁ ଓହରି ଯାଇଛନ୍ତି। କରୋନା ଭାଇରସ ଯୋଗୁ ଅଷ୍ଟ୍ରେଲିଆନ ସରକାର ଚାଇନିଜ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଚଳିତମାସ ଆରମ୍ଭରୁ ଲାଗିଥିବା ପ୍ରତିବନ୍ଧକର ସମୟ ସୀମାକୁ ଆଉ ଗୋଟିଏ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ଏଥିଯୋଗୁ ଚଳିତମାସ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱକପ୍‌ରେ ଚାଇନିଜ ଆଥ୍‌ଲେଟ୍‌ ଭାଗନେବା ସମ୍ଭବ ନୁହେଁ। ଏହି ଇଭେଣ୍ଟ ଟୋକିଓ ଅଲିମ୍ପିକ୍ସ ଲାଗି କ୍ୱାଲିଫାଇଂ ପଏଣ୍ଟ ପ୍ରଦାନ କରିବ। ମୁଁ ଚାଇନିଜ ଜିମ୍ନାଷ୍ଟିକ୍ସ ଆସୋସିଏଶନ ଓ ଏହାର ସଭାପତିଙ୍କ ସହ ନିୟମିତ ଯୋଗାଯୋଗରେ ଅଛି। କୌଣସି ଆଥ୍‌ଲେଟ କିମ୍ବା ଅଫିସିଆଲ ଭାଇରସ ସଂକ୍ରମଣ ଶିକାର ହୋଇ ନ ଥିବା ସେ ମୋତେ କହିଛନ୍ତି। ଏହାସତ୍ତ୍ୱେ ଆମେ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବୁ ବୋଲି ଜିମ୍ନାଷ୍ଟିକ୍ସ ଅଷ୍ଟ୍ରେଲିଆ ସିଇଓ କିଟି ଚିଲର କହିଛନ୍ତି।

Share