କରୋନା ଭାଇରସ: ଯେ କୌଣସି ଅଙ୍ଗକୁ କରିପାରେ ଆକ୍ରାନ୍ତ, ହୃଦରୋଗୀଙ୍କ ପାଇଁ ଅଧିକ ବିପଦ

ଜୁରିଚ୍‌,୨୩।୪: କରୋନା ଭାଇରସ କେବଳ ଫୁସ୍‌ପୁସ୍‌କୁ ନୁହେଁ ରକ୍ତ ମାଧ୍ୟମରେ ଖୁବ୍‌ଶୀଘ୍ର ଅନ୍ୟ ଅଙ୍ଗକୁ ମଧ୍ୟ ସଂକ୍ରମଣ କରିପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ସ୍ବିଜରଲାଣ୍ଡର ଜୁରିଚ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ମତ ଦେଇଛନ୍ତି। କରୋନା ଭାଇରସ ଶରୀରର ଯେ କୌଣସି ଅଙ୍ଗରେ ରକ୍ତ ପହଞ୍ଚାଉଥିବା ରକ୍ତବାହୀ ଉପରେ ସିଧାସଳଖ ଆକ୍ରମଣ କରିପାରେ ବୋଲି କୁହାଯାଉଛି। ଫଳରେ ଏହା ଶରୀରର ଯେ କୌଣସି ଅଙ୍ଗକୁ କ୍ଷତି ପହଞ୍ଚାଇପାରେ ଏବଂ ଏହା ଉଚ୍ଚ ରକ୍ତଚାପ, ଡାଇବେଟିସ, ମେଦବହୁଳତା, ହୃଦ୍‌ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତବାହୀକୁ ଦେଖିବା ପରେ ଏହା କ୍ଷତିଗ୍ରସ୍ତ ଥିବା ଜଣାପଡିଛି। ଏହାର କାରଣ ହେଉଛି ACE2 ରିସେପ୍ଟର ଏନଜାଇମ। ଏହି ଏନଜାଇମ ଫୁସଫୁସ, ଧମନୀ, କିଡ୍‌ନୀ ଓ ହୃତପିଣ୍ଡରେ ମିଳିଥିବାରୁ ଏହା ଖୁବ୍‌ଶୀଘ୍ର ସଂକ୍ରମିତ ହୁଏ ବୋଲି କୁହାଯାଉଛି। ଅଟୋପ୍ସସି ରିପୋର୍ଟ କହିଛି ପ୍ରଥମରୁ ଯେଉଁମାନେ ଉଚ୍ଚ ରକ୍ତଚାପ, ଡାଇବେଟିସ, ମେଦବହୁଳତା, ହୃଦ୍‌ରୋଗରେ ପୀଡିତ ଥିବେ ସେମାନଙ୍କ ରକ୍ତବାହୀ ଦୁର୍ବଳ ଥିବାରୁ ସେମାନଙ୍କ ନିକଟରେ କରୋନା ସହଜରେ ସଂକ୍ରମିତ ହୋଇଥାଏ।

Share