Categories: ଜାତୀୟ

କରୋନା ଭାଇରସ ଯୋଗୁ ବାତିଲ ହେଲା ମୋଦିଙ୍କ ବିଦେଶ ଗସ୍ତ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ସାରା ବିଶ୍ୱର ପ୍ରାୟ ୮୨ ଦେଶକୁ ବ୍ୟାପିଥିବା ବେଳେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଏବେ ବିଦେଶ ଗସ୍ତ ଉପରେ ନାନା କଟକଣା ଲଗାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ୟୁରୋପୀୟ ସଂଘର ଶିଖର ସମ୍ମିଳନୀରେ ଯୋଗ ଦେବାକୁ ବେଲଜିୟମ ଗସ୍ତ କରିଥାଆନ୍ତେ। ହେଲେ ଏହାକୁ ବାତିଲ କରି ଦିଆଯାଇଛି ବୋଲି ଗୁରୁବାର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ କ୍ରମେ ମୋଦିଙ୍କ ଏହି ଗସ୍ତକୁ ବାତିଲ କରାଯାଇଥିବା ସେ କହିଛନ୍ତି। ଏହାପରେ ପୁଣିଥରେ ମୋଦିଙ୍କ ବେଲଜିୟମ ଗସ୍ତକୁ ନେଇ ନୂଆ ତାରିଖ ଧାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସରେ ଏବେସୁଦ୍ଧା ଚାଇନାରେ ୩ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଭାରତରେ ଏବେସୁଦ୍ଧା ୩୦ ଜଣ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Share