କରୋନା ଭାଇରସ ସଂକ୍ରମଣ ପରେ ପ୍ରଥମଥର ଉହାନ ଗଲେ ଚାଇନା ରାଷ୍ଟ୍ରପତି

ବେଜିଂ,୧୦।୩: ଚାଇନା ହୁବଇ ଅଞ୍ଚରେ ଥିବା ଉହାନ ସହର କରୋନା ଭାଇରସ ଯୋଗୁ ଅଧିକ ପ୍ରଭାବିତ ହୋଇଥିଲା। କରୋନା ଭାଇରସ ସଂକ୍ରମଣରେ ଉହାନରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଗତବର୍ଷ ଶେଷ ବେଳକୁ ଉହାନରେ ପ୍ରଥମକରି କାରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏଠାରେ ଥିବା ବିଦେଶୀ ନାଗରିକମାନେ ଉହାନ ଛାଡି ନିଜ ନିଜ ଦେଶକୁ ଫେରି ଆସିଥିଲେ। ଏମିତିକି ଭାରତ ଏକ ସ୍ବତନ୍ତ୍ର ବିମାନରେ ଉହାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିଥିଲା। ଦୀର୍ଘ ପ୍ରାୟ ଅଢେଇ ମାସ ପରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ମଙ୍ଗଳବାର ଉହାନ ସହର ଗସ୍ତ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୧୦୦ଦେଶକୁ ବ୍ୟାପିଥିବା ବେଳେ ସାରା ବିଶ୍ୱରେ ଏବେସୁଦ୍ଧା ପ୍ରାୟ ୪ ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ଏହାସହ ଏବେ ସାରା ବିଶ୍ୱରେ ପ୍ରାୟ ୧,୧୩,୦୦୦ଜଣ କରୋନା ଭାଇରସରେ ପୀଡିତ ଥିବା ଜଣାପଡିଛି।

Share