କରୋନା ଭାଇରସ: ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଲା ଇଟାଲୀର ଭୋ ସହର

ରୋମ,୨୮।୩: କରୋନା ଭାଇରସ ଏବେ ଇଟାଲୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି କହିଲେ ଚଳେ। ଏବେ ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୯ହଜାର ଅତିକ୍ରମ କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୮୬ ହଜାରରୁ ଊର୍ଦ୍ଧ୍ୱ ହେଲାଣି। ଏହି କରୋନା ଭାଇରସ ଏବେ ଇଟାଲୀ, ଆମେରିକା ଭଳି ବିକାଶଶୀଳ ଦେଶକୁ ଭୟଭୀତ କରି ରଖିଥିବା ବେଳେ ଏବେ କିନ୍ତୁ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛି ଇଟାଲୀର ଭୋ ସହର। ଭେନିସ ସିଟିଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଅବସ୍ଥିତ ଥିବା ଭୋ ସହରର ଜନସଂଖ୍ୟା ପ୍ରାୟ ୩ ହଜାର। ଫେବୃୟାରୀ ୨୧ରେ ଏଠାରେ ପ୍ରଥମେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହି ସହର ଚର୍ଚ୍ଚାକୁ ଆସି ଯାଇଥିଲା। ହେଲେ ଏଠାକାର ପ୍ରଶାସନ ତୁରନ୍ତ ସହରର ସୀମା ସିଲ୍‌ କରିବା ସହ ସମସ୍ତଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଲେ। ସହର ବାହାରକୁ ଆସିବା ଯିବା ସମ୍ପୂର୍ଣ୍ଣ ବନ୍ଦ କରିଦେବା ସହ ସେଠାରେ ଥିବା ସମସ୍ତ ଲୋକଙ୍କ ନମୁନା ପରୀକ୍ଷା କରାଯିବାର ବ୍ୟବସ୍ଥା କରାଗଲା। ଏହାପରେ ଜଣାପଡିଲା ସେଠାରେ ମାତ୍ର ୩ ପ୍ରତିଶତ ଲୋକ କରୋନାରେ ପୀଡ଼ିତ। ଏହାପରେ ସେମାନଙ୍କୁ ଆଇସୋଲେଶନରେ ରଖାଯାଇ ଚିକିତ୍ସା କରାଗଲା। ଏମାନେ ଠିକ୍‌ ହେବା ବେଳକୁ ପୁଣିଥରେ ନମୁନା ପରୀକ୍ଷା କରାଯିବାରୁ ଭୋ ସହରରେ ମାତ୍ର ୧ ପ୍ରତିଶତ କରୋନା ସଂକ୍ରମଣ ଥିବା ଜଣାପଡିଥିଲା। ଏହାକୁ ଦେଖି ଏବେ ଆଲୋଚନା ହେଉଛି କି ଭୋ ହିଁ କରୋନାକୁ ଜୟ କରିପାରିଛି।

Share