କରୋନା ଭୂତାଣୁ ଉପରେ ଗବେଷଣା: ସ୍ଥାପିତ ହେବ ୧୬ ଜୈବ ବ୍ୟାଙ୍କ

ନୂଆଦିଲ୍ଲୀ,୩୧।୫: ଭାରତରେ କରୋନା ଭୂତାଣୁ ଉପରେ ଅଧିକ ଗବେଷଣା ପାଇଁ ୧୬ଟି ଜୈବ ବ୍ୟାଙ୍କ ସ୍ଥାପନ କରାଯିବ। ଏନେଇ ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ୯ଟି ଜୈବ ବ୍ୟାଙ୍କ ଆଇସିଏମ୍‌ଆର୍‌ ଦ୍ୱାରା କାର୍ଯ୍ୟ କରିବ। ସେହିପରି ୪ଟି ଡିବିଟି ଦ୍ୱାରା ପରିଚାଳିତ ହେବ। ଅପରପକ୍ଷରେ ଅବଶିଷ୍ଟ ବ୍ୟାଙ୍କ ସିଏସ୍‌ଆଇଆର୍‌ର ଜୈବ ପ୍ରାଦ୍ୟୋଗିକ ବିଭାଗ ଦ୍ୱାରା ପରିଚାଳିତ ହେବ। ଏଠାରେ କରୋନା ସଂକ୍ରମିତଙ୍କ ପାଟି ଲାଳ, ନାଶାପଥର ଲସିକା, ଗଳାର ସଂକ୍ରମିତ କୋଷିକା, ଫୁସ୍‌ଫୁସ୍‌ କୋଷିକା, ଛେପ, ରକ୍ତ, ମଳ, ମୂତ୍ର ଆଦି ନମୁନା ସଂରକ୍ଷିତ ରଖାଯିବ। ଗବେଷଣା କରାଯାଇ କରୋନା ସଂକ୍ରମଣର ନୂଆ ଚିକିତ୍ସା ଉପରେ ଅନୁଧ୍ୟାନ କରାଯିବ। ବ୍ୟାଙ୍କଗୁଡ଼ିକ ଏନ୍‌ସିଆର୍‌ ବାୟୋଟେ ସାଇନ୍ସ୍‌ ସେଣ୍ଟର, ଫରିଦାବାଦ୍‌ର ଟିଏଚ୍‌ଏସ୍‌ଟିଆଇ, ଫରିଦାବାଦ୍‌ର ଆର୍‌ସିବି, ଭୁବନେଶ୍ୱରର ଭାଇରାଲ ସାମ୍ପଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ୍‌, ବେଙ୍ଗାଲୁରୁର ଇନ୍‌ଷ୍ଟେମ୍‌ ଏବଂ ନୂଆଦିଲ୍ଲୀର ଆଇଏଲ୍‌ବିଏସ୍‌ଠାରେ ସ୍ଥାପିତ ହେବ।

Share