କରୋନା ଭୂତାଣୁ ଉପରେ ପରୀକ୍ଷା ହେଉଥିବା ଲ୍ୟାବ୍‌କୁ ମିଳୁଥିଲା ଆମେରିକା ଅନୁଦାନ: ଏଠାରୁ ବ୍ୟାପିଥିଲା ସଂକ୍ରମଣ !

ବେଜିଂ,୧୩।୪: ଚାଇନାର ଉହାନ ସହର ଥିବା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜିର ଏକ ଲ୍ୟାବ୍‌ରେ କରୋନା ସଂକ୍ରମଣ ଉପରେ ପରୀକ୍ଷା ନିରୀକ୍ଷା ଜାରି ରହିଥିଲା। ଏଠାରୁ ସଂକ୍ରମଣ ୩୦ କିଲୋମିଟର ଦୂରରେ ଥିବା ମାଂସ ବଜାରରେ ହୋଇଥିଲା। ପରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ବାଦୁଡ଼ିଙ୍କ ଉପରେ ୬୪ ବର୍ଷ ପୁରୁଣା ଳ୍ୟାବ୍‌ରେ ହେଉଥିବା ପରୀକ୍ଷା ନିରୀକ୍ଷା ପାଇଁ ଆମେରିକା ଆବଶ୍ୟକ ଅନୁଦାନ ଯୋଗାଇ ଦେଉଥିବା ଜଣାପଡ଼ିଛି। ଏନେଇ ଏପ୍ରିଲ୍‌ ୧୧ରେ ‘ଦି ମେଲ୍‌ ଅନ୍‌୍‌ ସଣ୍ଡେ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଅସାବଧାନତା ଯୋଗୁ କରୋନା ଭୂତାଣୁ ବ୍ୟାପିଥିବା ମଧ୍ୟ କୁହାଯାଉଛି। ଆମେରିକାର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ପକ୍ଷରୁ ଲ୍ୟାବ୍‌କୁ ପ୍ରାଣୀଙ୍କ ଉପରେ ପରୀକ୍ଷା ନିରୀକ୍ଷା ପାଇଁ ଉହାନର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜି ୨୯ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଜାନୁୟାରୀ ପ୍ରଥମ ସପ୍ତାହରେ ଏସମ୍ପର୍କିତ ତଥ୍ୟ ବାହାରକୁ ଆସିଥିଲା ଯେ, ମଣିଷଙ୍କଠାରେ ଦେଖାଦେଇଥିବା କରୋନା ସଂକ୍ରମଣ ଲାଗି ବାଦୁଡ଼ି ହିଁ ଦାୟୀ। ଉହାନଠାରୁ ୧୬୦୦ କିଲୋମିଟର ଦୂର ୟୁନ୍ନାନ ପ୍ରଦେଶର ଏକ ଗୁମ୍ଫାରୁ ଧରାପଡ଼ିଥିବା ବାଦୁଡ଼ି ଯୋଗୁ କରୋନା ସଂକ୍ରମଣ ବ୍ୟାପିଥିଲା। ଗତ ୧୦ ବର୍ଷ ଧରି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜି ଲ୍ୟାବ୍‌ରେ ଏହି ପରୀକ୍ଷା ଜାରି ରହିଥିଲା। ଘଟଣା ବାହାରକୁ ଜଣାପଡ଼ିବା ପରେ ଏବେ ଆମେରିକା ଚାଇନା ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଫଳରେ ଦୁହେଁ ସାରା ପୃଥିବୀ ଆଗରେ କାଠଗଡ଼ାରେ ଠିଆ ହୋଇଥିବା କୁହାଯାଉଛି। ପ୍ରଥମେ ଆମେରିକା ଚାଇନା ଉପରେ ଭୂତାଣୁ ଲିକ୍‌ ହେବା ଲାଗି ଦାୟୀ କରିଥିଲା। ପରେ ଆମେରିକା ଜାତିସଂଘ ଏହି ଘଟଣାରେ ପକ୍ଷପାତିତା କରୁଥିବା ମଧ୍ୟ ଅଭିଯୋଗ ଆଣିଥିଲା। ଲ୍ୟାବ୍‌ରେ ପରୀକ୍ଷା ପାଇଁ ଆମେରିକା ଅନୁଦାନ ଦେଉଥିବା ତଥ୍ୟ ସମ୍ପର୍କରେ ସୂଚନା ମିଳିବା ପରେ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share