Categories: ଜାତୀୟ

କରୋନା ଭୂତାଣୁ ସଂକ୍ରମଣରେ ତ୍ରିପୁରାର ଜଣଙ୍କର ମୃତ୍ୟୁ

ସେପାହିଜାଲା,୩୦।୧: ତ୍ରିପୁରା ମଧୁପୁର ଥାନା ଅନ୍ତର୍ଗତ ପୁରାଥଲ ରାଜନଗର ଗାଁର ଜଣେ ଯୁବକଙ୍କର କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ମନିର ହୋସେନ ନାମକ ଜଣେ ୨୩ ବର୍ଷୀୟ ଯୁବକ ମାଲେସିୟାରେ କାମ କରୁଥିବା ବେଳେ ସେଠାରେ ତାଙ୍କର କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା କହିଛନ୍ତି ତାଙ୍କ ପରିବାର ଲୋକେ। ସେଠାରେ ମନିର ଏକ ହୋଟେଲରେ କାମ କରୁଥିଲେ ବୋଲି କହିଛନ୍ତି ମନିରଙ୍କ ଜେଜେବାପା। ସେ କହିଛନ୍ତି ତାଙ୍କ ନାତିଙ୍କ ମୃତ୍ୟୁ ଖବର ବୁଧବାର ମାଲେସିୟା ଅଥରିଟିଙ୍କ ପକ୍ଷରୁ ମିଳିଥିଲା। ଫୋନ ଯୋଗେ ତାଙ୍କୁ ଏହି ଖବର ଦିଆଯାଇଛି। ଗତ ପ୍ରାୟ ୨ ବର୍ଷ ତଳେ ମନିର ସେଠାକୁ କାମ କରିବାକୁ ଯାଇଥିବା କହିଛନ୍ତି ଜେଜେବାପା ଅବଦୁଲ ରହିମ। ଏବେ ସେ ତାଙ୍କ ନାତିଙ୍କ ମୃତଦେହକୁ ଘରକୁ ଆଣିବାର ବ୍ୟବସ୍ଥା କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଚାଇନାରେ ପ୍ରଥମେ ଦେଖାଦେଇଥିବା ଏହି କରୋନା ଭୂତାଣୁ ସଂକ୍ରମଣରେ ଏବେ ସେଠାରେ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

Share