କରୋନା ଭୂତାଣୁ ସଂକ୍ରମଣ ବି କରୁଛି ଲାଭାନ୍ବିତ: ପୃଥିବୀର ୩୦ଟି ଦେଶର ଶାସକଙ୍କ ପାଇଁ ଆଣିଦେଇଛି ନୂଆ ସୁଯୋଗ

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେବେ କରୋନା ଭୂତାଣୁ ସଂକ୍ରମଣ ପୃଥିବୀର ୩୦ଟି ଦେଶର ଶାସକଙ୍କ ପାଇଁ ନୂଆ ସୁଯୋଗ ଆଣିଦେଇଛି। କ୍ଷମତାରୁ ହଟିବାର କୌଣସି ଆଶଙ୍କା ନ ଥିବାରୁ ଶାସକମାନେ ବେଶ୍‌ ଲାଭାନ୍ବିତ ହେବାରେ ଲାଗିଛନ୍ତି। ଏସବୁ ଦେଶର ସରକାର କରୋନା ଭୂତାଣୁ ସଂକ୍ରମଣ ଆଳରେ ଲୋକଙ୍କ ଭୟଭୀତ କରାଇ ଫାଇଦା ନେବାରେ ଲାଗିଥିବା କୁହାଯାଉଛି। ଜାତିସଂଘ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନାକୁ ଏସବୁ ଦେଶର ସରକାର ଗୁରୁତ୍ୱ ଦେଉ ନ ଥିବା କୁହାଯାଉଛି। ରୁଷିଆରେ ବ୍ଲାଡ଼ିମୀର ପୁଟିନ୍‌ ଅନ୍ୟ ଦେଶ ଭଳି ସର୍ଭେଲାନ୍ସ୍‌ ତଥା ଏହାର ନିରାକରଣକୁ ଅଣଦେଖା କରୁଛନ୍ତି। ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ିବା ସହିତ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ସେହିପରି କାମ୍ବୋଡ଼ିଆରେ ମଧ୍ୟ ସମାନ ସ୍ଥିତି ଜାରି ରହିଛି। ଏହି ତାଲିକାରେ ଚାଇନା, ଭାରତ, ଫିଲିପାଇନ୍ସ୍‌, ଉଗାଣ୍ଡା, ପୋଲାଣ୍ଡ୍‌, ଘାନା, ଥାଇଲାଣ୍ଡ୍‌, ବେଲାରୁଷ,ଭେନଜୁଏଲା, ଚିଲି, ବଲିଭିଆ, ଇସ୍ରାଏଲ୍‌, ବାଂଲାଦେଶ, ସର୍ବିଆ, ମ୍ୟାନମାର୍‌, କେନିଆ, ପାରାଗୁଏ, ତୁର୍କିମେନିସ୍ତାନରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି। ସେହିପରି ଇଜିପ୍ଟ, ହଙ୍ଗେରୀ, ୟେମେନ୍‌, ୟୁଏଇ, ଇରାନ୍‌, ଆର୍ମେନିଆ, ଉତ୍ତରକୋରିଆର ଶାସକ କରୋନା ସଂକ୍ରମଣ ଯୋଗୁ ବେଶ୍‌ ଲାଭରେ ରହିଥିବା କୁହାଯାଉଛି।

Share