Categories: ରାଜ୍ୟ

କରୋନା ଭୟ:ପରୀକ୍ଷା ଦେଇପାରିଲେନି ୨ ଛାତ୍ରୀ

ବାଙ୍କୀ,୧୫।୩(ସ୍ବ.ପ୍ର.): କରୋନା ଭୟରେ ବାଙ୍କୀ ଡମପଡ଼ା ବ୍ଳକ ଅନ୍ତର୍ଗତ ଏକ ଆଦର୍ଶ ବିଦ୍ୟାଳୟରେ ଶନିବାର ଜଣେ ଅଷ୍ଟମ ଓ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ବାର୍ଷିକ ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଉଭୟେ ଗୋଟିଏ ପରିବାରର ଓ ସମ୍ପର୍କରେ ଭଉଣୀ । ଭଉଣୀ ଦ୍ୱୟ ପରୀକ୍ଷା ଦେବାକୁ ଆସିଥିବା ବେଳେ ଝାଡ଼ା ଓ ଜ୍ୱରରେ ପୀଡ଼ିତ ହୋଇଥିବା ଲକ୍ଷ୍ୟ କରି ପ୍ରଧାନ ଶିକ୍ଷକ ସେମାନଙ୍କୁ ପରୀକ୍ଷା ଦେବାକୁ ବାରଣ କରିଥିଲେ। ଏସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶୁତୋଷ ସାମଲ କହିଛନ୍ତି, ପିଲା ଦୁହେଁ ଅସୁସ୍ଥଥିବାରୁ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇ ନଥିଲା। ଉଭୟଙ୍କ ଦେହ ୨୪ତାରିଖ ଭିତରେ ଭଲ ହୋଇଗଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ପରୀକ୍ଷା କରାଯିବାକୁ ବ୍ୟବସ୍ଥା କରାଯିବ। ଅପରପକ୍ଷେ ଏହି ପରୀକ୍ଷା କେନ୍ଦ୍ରରେ ୨୦୦ ପିଲା ପରୀକ୍ଷା ଦେଉଥିବା ବେଳେ କେବଳ ୨ ଜଣ ଛାତ୍ରୀଙ୍କୁ ପରୀକ୍ଷା ଦେବାରୁ ବଞ୍ଚତ୍ତ କରାଯାଇଥିବାରୁ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରି ସ୍କୁଲ କଲେଜରେ ପାଠପଢ଼ା ବନ୍ଦ କରିଛନ୍ତି। ଏଭଳି ସ୍ଥିତିରେ ବିଦ୍ୟାଳୟଗୁଡିକରେ ବାର୍ଷିକ ପରୀକ୍ଷା ବନ୍ଦ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Share