Categories: ଫୁରସତ

କରୋନା ଭୟ: ଆପାର୍ଟମେଣ୍ଟରେ ୫୦ କିମି ଦୌଡ଼ିଲେ ଧାବକ, ବାଲ୍‌କୋନିରେ ମାରିଲେ ୬୨୫୦ ଚକ୍କର

ବେଜିଂ: ଚାଇନାରେ କରୋନା ଭାଇରସ୍‌ ଆତଙ୍କ ବଢ଼ିବାରେ ଲାଗିଛି। ଏହି କାରଣରୁ ଏଠାକାର ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ପଡ଼ିଛି। ଫଳରେ ଝୋଜିୟାଙ୍ଗ୍‌ ହାଙ୍ଗ୍‌ଝୋଉର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ଧାବକ ଘରେ ଦୌଡ଼ିଛନ୍ତି। ଧାବକ ପେନ୍‌ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି କ୍ୟାପଶନ୍‌ ଲେଖିଛନ୍ତି, ମୁଁ କିଛିଦିନ ଘରୁ ବାହାରକୁ ଯାଇ ନ ପାରିବାରୁ ମୋ’ ଏକ୍ସସର୍‌ସାଇଜ୍‌ ବନ୍ଦ ହୋଇଗଲା। ଫଳରେ ମୁଁ ଶାନ୍ତିରେ ବସି ପାରିଲିନି କି ଶୋଇ ପାରିଲିନି। ମୁଁ ପ୍ରଥମେ ମୋ’ ରୁମ୍‌ର ବାଲକୋନିରୁ ଦୌଡ଼ିବାକୁ ଲାଗିଲି। ଆପାର୍ଟମେଣ୍ଟ ମଧ୍ୟରେ ୫୦ କିଲୋମିଟର ଦୌଡ଼ିବାକୁ ତାଙ୍କୁ ୪ ଘଣ୍ଟା ୪୮ ମିନିଟ୍‌ ୪୪ ସେକେଣ୍ଡ୍‌ ଲାଗିଥିଲା। ସେହିପରି ବାଲ୍‌କୋନିରେ ସେ ୬୨୫୦ ଚକ୍କର ମାରିଥିଲେ। ଏଥିରେ ତାଙ୍କର ଝାଳ ବୋହିବାରୁ ଆରାମ ଲାଗିଥିଲା। ପେନ୍‌ଙ୍କ ଏହି ଏହି ପୋଷ୍ଟରେ ଜଣେ ୟୁଜର ଲେଖିଛନ୍ତି। ଘର ଭିତରେ ୫୦ କିଲୋମିଟର ଦୌଡ଼ିବା ମୋତେ ଉତ୍ସାହିତ କରିଦେଲା। ଆଉ ଜଣେ ୟୁଜର ଲେଖିଛନ୍ତି, ତୁମ ଆପାର୍ଟମେଣ୍ଟ ତଳେ କ’ଣ ଲୋକ ରହୁଛନ୍ତି? ତାଙ୍କ ପ୍ରତି ତୁମର ଧ୍ୟାନ ନ ଥିଲା। ଏହିପରି ପେନ୍‌ଙ୍କୁ ଭିନ୍ନ ଭିନ୍ନ କମେଣ୍ଟ ସବୁ ମିଳିଛି। ଅଧିକାଂଶ ୟୁଜର ତାଙ୍କୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଟ୍ରୋଲ୍‌ କରିଛନ୍ତି।
ସୂଚନାଯୋଗ୍ୟ, କରୋନା ଭାଇରସ୍‌ ପାଇଁ ବ୍ରିଟେନରେ ଟ୍ରାଭେଲ୍‌ ଆଡଭାଇଜରି ଜାରି ହୋଇଛି। ଏଠାରେ ରହୁଥିବା ୯ଟି ଦେଶର ଲୋକଙ୍କ ପାଇଁ ଏହା ଜାରି କରାଯାଇଛି। ଚାଇନା, ଥାଇଲାଣ୍ଡ୍‌, ଜାପାନ, କୋରିଆ, ତାଇବନ୍‌, ସିଙ୍ଗାପୁର, ମାଲେସିଆରେ ରହୁଥିବା ଲୋକଙ୍କୁ କରୋନା ଭାଇରସ୍‌ ତୁରନ୍ତ ଦେଖାଦେଲେ ଫେରିଆସିବାକୁ କୁହାଯାଇଛି। ଏହା ପ୍ରାୟ ୨୮ ଦେଶକୁ କବଳିତ କରିସାରିଲାଣି। ଏଥିରେ ୫୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ୩୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ସବୁଠୁ ଅଧିକ ରୋଗୀ ଚାଇନାରେ ଅଛନ୍ତି।

Share