Categories: ଜାତୀୟ

କରୋନା ଭୟ: ଇରାନ୍‌ରେ ଫସିଥିବା ଭାରତୀୟ, ଉଦ୍ଧାର ପାଇଁ ସରକାରଙ୍କୁ କଲେ ନିବେଦନ

ନୂଆଦିଲ୍ଲୀ,୨।୩: ଚାଇନାରେ ସୃଷ୍ଟ କରୋନା ଭାଇରସ୍‌ ଏବେ ମହାମାରୀର ରୂପ ନେଇଥିବା ବେଳେ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି। ଇରାନରେ କରୋନା ଭାଇରସ୍‌ରେ ପ୍ରଭାବିତ ସହରରେ କେତେକ ଭାରତୀୟ ଏବେ ଫସିରହିଛନ୍ତି। ଫସିରହିଥିବା ଭାରତୀୟ ତାଙ୍କୁ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ନିବେଦନ କରାଯାଇଛି। ସେହିପରି ଇରାନ ସହରକୁ ପ୍ରାୟ ୮ଶହ ବିଦ୍ୟାର୍ଥୀ ଇସ୍‌ଲାମିକ ଶିକ୍ଷା ଗ୍ରହଣ କରିବା ପାଇଁ ଯାଇଥିବା ବେଳେ କରୋନା ଯୋଗୁ ସେମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଉଦ୍ଧାର ପାଇଁ ଭାରତୀୟ ଦୂତାବାସଙ୍କୁ ୧୫୦ ଛାତ୍ରଙ୍କ ତାଲିକା ପଠାଇ ଦିଆଯାଇଥିବା ବେଳେ ଅନ୍ୟମାନଙ୍କ ତାଲିକା ପ୍ରସ୍ତୁତ ହେଉଛି ହେଉଛି ବୋଲି ଲକ୍ଷ୍ନୌ ମଦ୍ରାସାର ଅଧ୍ୟକ୍ଷ କହିଛନ୍ତି। ଇରାନର ଖୁମ୍‌ ସହରରେ ଥିବା ମୁସ୍ତଫା ଇଣ୍ଟରନ୍ୟାଶନାଲ ୟୁନିଭର୍ସଟିରେ ପଢ଼ୁଥିବା ଭାରତୀୟ ଛାତ୍ର ତୁରନ୍ତ ସ୍ବଦେଶକୁ ଫେରିବାକୁ ଚାହୁଁଛନ୍ତି। କାରଣ କରୋନା ଭାଇରସ୍‌ ସବୁଠାରୁ ଅଧିକ ଏହି ସହରରେ ବ୍ୟାପିଛି। ଏଥିଯୋଗୁ ବିମାନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିବାରୁ ସେମାନେ ଭାରତକୁ ଆସିପାରୁ ନାହାନ୍ତି। ଅପରପକ୍ଷେ କେତେକ ଭାରତୀୟ ଇରାନକୁ କୌଣସି କାର୍ଯ୍ୟ ପାଇଁ ଯାଇଥିବା ବେଳେ ବିମାନ ସେବା ବନ୍ଦ ଥିବାରୁ ଆଉ ଫେରି ପାରୁ ନ ଥିବା କହିଛନ୍ତି। ଫଳରେ ତାଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ସେମାନେ ଗୁହାରୀ କରିଛନ୍ତି। ତେବେ ଫସି ରହିଥିବା ଛାତ୍ରଙ୍କ ମଧ୍ୟରୁ ଅଧିକତର ଦିଲ୍ଲୀ ଓ ଲକ୍ଷ୍ନୌର ବୋଲି ଜଣାପଡ଼ିଛି।

Share