କରୋନା ଭୟ: ଏହି ଦେଶର ପ୍ରତ୍ୟେକ ସ୍ଥାନରେ ଲାଗିଛି ‘ଓ୍ବାଶ୍‌ ବେସିନ୍‌’

ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି। ବିଶ୍ୱର କେତେକ ଦେଶ ଏଥିରୁ ନିସ୍ତାର ପାଇବା ପାଇଁ ଉଚିତ ପଦକ୍ଷେପ ନେବା ସହ ସଚେତନ ମଧ୍ୟ ହେଉଛନ୍ତି। ତେବେ ଏଭଳି ଏକ ଦେଶ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ ବା (କୋଭିଡ୍‌-୧୯)ର ଗୋଟିଏ ବି ଘଟଣା ସାମ୍ନାକୁ ଆସିନାହିଁ। କିନ୍ତୁ ଉକ୍ତ ଦେଶ ଏହି ମହାମାରୀଠାରୁ ଦୂରେଇ ରହିବା ସହ ମୁକାବିଲା ପାଇଁ ପୂର୍ବରୁ ଅଣ୍ଟା ଭିଡିଛି। ଏଥିପାଇଁ ଉକ୍ତ ଦେଶରେ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ସଚେତନତାମୂଳକ କାର୍ଯ୍ୟ କରିଛନ୍ତି, ଯାହା ପ୍ରଶଂସାଯୋଗ୍ୟ। ସୂଚନାଯୋଗ୍ୟ, ମଧ୍ୟ ଆଫ୍ରିକାର ବହୁତ ଛୋଟ ଦେଶ ରଓ୍ବାଣ୍ଡାରେ ଏଯାଏଁ କରୋନା ଭାଇରସ୍‌ରେ କେହି ସଂକ୍ରମିତ ହୋଇନାହାନ୍ତି। ତେଣୁ ପୂର୍ବରୁ କରୋନା ସହ ମୁକାବିଲା ପାଇଁ ସରକାର ସମସ୍ତ ପଦକ୍ଷେପ ନେବା ସହ ହାତ ଧୋଇବା ପାଇଁ ପ୍ରତିଟି ସ୍ଥାନରେ ‘ଓ୍ବାଶ ବେସିନ୍‌’ ଲଗାଇଥିବା ଜଣାପଡ଼ିଛି। ଦେଶର ସମସ୍ତ ସହରର ଫୁଟ୍‌ପାଥ୍‌, ବସ୍‌ ଷ୍ଟାଣ୍ଡ, ରାସ୍ତାକଡ଼, ବ୍ୟାଙ୍କ, ରେଷ୍ଟୁରାଣ୍ଟ ଓ ଦୋକାନ ବାହାରେ ପୋର୍ଟେବଲ୍‌ ସିଙ୍କ୍‌ ଲଗାଯାଇଛି।

ଯେଉଁଥିରେ ବାହାରେ ଯାତାୟାତ କରୁଥିବା ସମସ୍ତ ଲୋକ ହାତ ଧୋଇପାରିବେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ରାସ୍ତାରେ ଯାଉଥିବା ପ୍ରତ୍ୟେକ ଲୋକ ଉକ୍ତ ‘ଓ୍ବାଶ ବେସିନ୍‌’ରେ ହାତ ଧୋଉଥିବାର ଦେଖିବାକୁ ମିଳିଛି। ରଓ୍ବାଣ୍ଡାରେ କରୋନା ସଂକ୍ରମଣ ଦେଖାଯାଇ ନ ଥିବା ବେଳେ ପଡ଼ୋଶୀ ଦେଶ କଙ୍ଗୋରେ ଜଣେ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯାହାପରେ ସୁରକ୍ଷା ଦୃଷ୍ଟିରୁ ରଓ୍ବାଣ୍ଡା ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ବାରମ୍ବାର ହାତ ଧୋଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share