କରୋନା ଭୟ: ଗାଁ ଜଗିଛନ୍ତି ଚାନ୍ଦିପୋଷର ଚାନ୍ଦମଣି

ରାଉରକେଲା ଅଫିସ, ୧ା ୪ – ଆଦିବାସୀ ବହୁଳ ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଏରଗେଡା ବାସିନ୍ଦା ଚାନ୍ଦମଣି ସାଣ୍ଡିଲ। ଚାଷୀ ପରିବାରର ଏହି ଉଚ୍ଚ ଶିକ୍ଷିତ ଝିଅ ବେଶ ସ୍ବାସ୍ଥ୍ୟ ସଚେତନ। ଗ୍ରାମାଞ୍ଚଳରେ ଯେମିତି କରୋନା ଭୂତାଣୁ ନ ପଶେ ସେଥିପାଇଁ ସେ ଅଣ୍ଟା ଭିଡିଛନ୍ତି । ଆଦିବାସୀ ଗଁାର ଅନେକ ସୀମାନ୍ତ ଅଞ୍ଚଳ ତଥା ଜଙ୍ଗଲ ମୁଲକରୁ ରାଜ୍ୟ ବାହାରେ କାମ କରୁଥିବା ଯୁବତୀଯୁବକଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଏବେ ଏମାନଙ୍କ ମଧ୍ୟରୁ କରୋନା ଭୟରେ ଅନେକେ ଗଁାକୁ ଫେରି ଆସିଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅନେକ ନାମ ପଞ୍ଜୀକରଣ କରୁ ନାହାନ୍ତି, କିମ୍ବା ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଉ ନାହାନ୍ତି ଏମାନଙ୍କ ଠିକଣା ସଂଗ୍ରହ କରୁଛନ୍ତି ଚାନ୍ଦମଣି। ଡାକ୍ତର ଡାକି ପରୀକ୍ଷା କରାଉଛନ୍ତି। ଗଁା ଲୋକଙ୍କ ମନରୁ ଭୟ ଦୂର କରୁଛନ୍ତି। ଆବଶ୍ୟକ ପଡିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ କ୍ୱାରାଣ୍ଟାଇନରେ ରହିବାକୁ କହୁଛନ୍ତି। ନିକଟରେ ଚେନ୍ନାଇରୁ ଫେରିଥିବା ଜଣେ ଯୁବତୀ ଓ ଯୁବକଙ୍କୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଯୁବତୀଙ୍କୁ ଡାକ୍ତରୀ ପରୀକ୍ଷା ପରେ ୧୪ଦିନ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଅନୁରୂପଭାବେ ସେହି ଅଞ୍ଚଳର ଅନ୍ୟ ଜଣେ ଯୁବକଙ୍କୁ ଘରେ ରହିବାକୁ ପରାମର୍ଶ ସତ୍ତ୍ୱେ ସେ ଏହାକୁ ପାଳନ ନ କରି ଗଁାରେ ଖୋଲା ବିଚରଣ କରିଥିଲେ, ଯାହାକୁ ନେଇ ଗଁାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ଚାନ୍ଦମଣି ଡାକ୍ତରୀ ଟିମ୍‌ ଡାକି ସମ୍ପୃକ୍ତ ଯୁବକଙ୍କୁ ଆଇସୋଲେଶନ ସେଣ୍ଟରକୁ ପଠାଇଥିଲେ। ଜଙ୍ଗଲ ମୁଲକରେ ବସବାସ କରୁଥିବା ଲୋକେ କରୋନା ନେଇ ସେତେଟା ସଚେତନ ନୁହନ୍ତି। ଏମିତି ଅବସ୍ଥାରେ ଚାନ୍ଦମଣି ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି। ଏହା କେବଳ ମୋର ଦାୟିତ୍ୱ ନୁହେଁ, ଏନେଇ ସମସ୍ତଙ୍କୁ ସଚେତନ ହେବାକୁ ପଡିବ। ସରକାରଙ୍କ ନୀତି ନିୟମ ମାନିବାକୁ ପଡିବ। ତେବେ ଯାଇ ଆମେ କରୋନା ଭଳି ଭୟାବହ ସଂକ୍ରମଣକୁ ପ୍ରତିରୋଧ କରି ପାରିବା ବୋଲି କହିଛନ୍ତି ଚାନ୍ଦମଣି।