କରୋନା ଭୟ: ଗୃହପାଳିତ ପ୍ରାଣୀଙ୍କୁ ଘରୁ ବାହାର ନ କରିଦେବାକୁ ଅନୁରୋଧ କଲେ ଅନୁଷ୍କା

ମୁମ୍ବାଇ: କରୋନା ଭାଇରସର ସଂକ୍ରମଣ ଧୀରେ ଧୀରେ ବ୍ୟାପିବାରେ ଲାଗିଥିବା ବେଳେ ଏବେ ଦେଶରେ ଏହା ୫ଶହ ଅତିକ୍ରମ କରିଛି। ସେହିପରି କରୋନାରେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିବା ବେଳେ ସେମାନଙ୍କ ପୋଷା ଜୀବଙ୍କୁ ଏହା ସଂକ୍ରମିତ କରିପାରେ ବୋଲି ଅନେକେ ଆଶଙ୍କା ପ୍ରକାଶ କରୁଛନ୍ତି। ଏହି ସମୟରେ ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଅନୁରୋଧ କରିଛନ୍ତି ଆପଣମାନେ ଆପଣଙ୍କ ପୋଷା ପ୍ରାଣୀଙ୍କୁ ଘରୁ ବାହାର କରି ଦିଅନ୍ତୁ ନାହିଁ। ଆପଣଙ୍କ ସହ ସେମାନଙ୍କୁ ରଖନ୍ତୁ। ସେମାନଙ୍କୁ ପୂର୍ବପରି ସ୍ନେହ କରନ୍ତୁ ଓ ସେମାନଙ୍କର ଯତ୍ନ ନିଅନ୍ତୁ। ଏହି ଘଡିସନ୍ଧି ମୁହୂର୍ତ୍ତରେ ଆପଣମାନେ ହିଁ ସେମାନଙ୍କର ସବୁକିଛି ବୋଲି ଅନୁଷ୍କା କହିଛନ୍ତି। ଏବେ କରୋନା ଭାଇରସ ଯୋଗୁ ଅନୁଷ୍କା ନିଜ ଘରେ ବନ୍ଦ ହୋଇଥିବା ବେଳେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଏହି ବାର୍ତ୍ତା ଦେଇଛନ୍ତି। ସୂଚନାଯୋଗ୍ୟ, ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଯେତେବେଳେ ସେଠାରେ ମହାମାରୀ ରୂପ ନେଇଥିଲା ସେତେବେଳେ ଲୋକେ ସେମାନଙ୍କ ପୋଷା ପ୍ରାଣୀଙ୍କୁ ବାହାରକୁ ଫୋପାଡି ଦେଉଥିବା ଖବର ଆସିଥିଲା।

Share