Advertisement

କରୋନା ଭୟ: ଘରେ ବାସନ ଧୋଉଛନ୍ତି ଏହି ଷ୍ଟାର

ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୫୦୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ପ୍ରାୟ ରାଜ୍ୟଗୁଡିକ ଏବେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଲୋକମାନେ ଘରେ ବନ୍ଦୀ ହୋଇ ରହୁଛନ୍ତି। ବଲିଉଡ୍‌ ସେଲିବ୍ରିଟି ମଧ୍ୟ ସେଲ୍ଫ ଆଇସୋଲେଶନ୍‌ରେ ରହୁଛନ୍ତି। ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ସମସ୍ତେ ନିଜ ନିଜର କାର୍ଯ୍ୟକଳାପକୁ ଶେୟାର କରୁଥିବା ନଜର ଆସିଛି। ଏହି ଭିଡିଓ ଜରିଆରେ ଘରେ ରହି ସୁରକ୍ଷିତ ରହିବା ସହ ସରକାରଙ୍କ ସହ ମିଶି କରୋନା ମହାମାରୀକୁ ହରାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି। ତେବେ ଏଥିରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଅଭିନେତା କାର୍ତ୍ତିକ ଆର୍ୟନ ମଧ୍ୟ ପଛରେ ରହି ନାହାନ୍ତି। ସେମାନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲକ୍‌ଡାଉନ୍‌ ଯୋଗୁ ଘରେ କାମ କରୁଥିବା ମହିଳା ଆସିପାରୁ ନ ଥିବାରୁ ବି-ଟାଉନ୍‌ ସେଲିବ୍ରିଟିଙ୍କୁ ଏବେ ନିଜ କାମ ନିଜକୁ କରିବାକୁ ପଡ଼ୁଛି। ପୂର୍ବରୁ କ୍ୟାଟ୍ରିନା ଘରେ ଗିଟାର ବଜାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ବାସନ ଧୋଉଥିବାର ଏକ ଭିଡିଓ ଦେଖିବାକୁ ମିଳିଛି। ବାସନ ଧୋଇବା ସହ ପାଣି କିଭଳି ସଞ୍ଚୟ କରିବା ସେନେଇ ଏହି ଭିଡିଓ ଜରିଆରେ ସମସ୍ତଙ୍କୁ ସେ ଏକ ବାର୍ତ୍ତା ଦେଇଛନ୍ତି। ସେହିପରି କାର୍ତ୍ତିକ ଆର୍ୟନ ମଧ୍ୟ ଘରେ ରହି ବାସନ ଧୋଉଥିବାର ଏକ ଭିଡିଓଟିରେ ଦେଖିବାକୁ ମିଳିଛି। କରୋନା ଯୋଗୁ ସମସ୍ତ ଶୁଟିଂ ବନ୍ଦ ଥିବାରୁ ସବୁ ସେଲିବ୍ରିଟିମାନେ ଘରେ ଆଇସୋଲେଶନ୍‌ରେ ରହି ନିଜ ମନପସନ୍ଦର କାର୍ଯ୍ୟକଳାପ କରିବା ସହ ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଲୋକଙ୍କୁ ସଚେତନ କରୁଥିବା ନଜର ଆସିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share