କରୋନା ଭୟ: ଜାହାଜରେ ଫସିଛନ୍ତି ୭୦୦୦ ଲୋକ

ସିଭିଟାଭେଛିଆ (ଇଟାଲୀ),୩୧-୧:କରୋନା ଭୂତାଣୁ ସଂକ୍ରମଣ ଭୟରେ ଇଟାଲୀର ଏକ କ୍ରୁଜ୍‌ ଜାହାଜରେ ୭୦୦୦ ଲୋକ ସମୁଦ୍ର ମଧ୍ୟରେ ଅଟକି ରହିଛନ୍ତି। ଜାହାଜରେ ଥିବା ଜଣେ ୫୪ ବର୍ଷୀୟା ମହିଳା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କଠାରେ କରୋନା ଭୂତାଣୁ ରହିଥିବା ସନ୍ଦେହ କରାଯାଉଛି। ମାକାଉରୁ ଆସିଥିବା ଉକ୍ତ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଏକ ସ୍ବତନ୍ତ୍ର ପ୍ରକୋଷ୍ଠରେ ରଖାଯାଇ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। କୋଷ୍ଟା ସ୍ମେରାଲ୍ଡା ନାମକ ଏହି ଜାହାଜ ରୋମ୍‌ଠାରୁ ୩୫ ମାଇଲ ଦୂର ସିଭିଟାଭେଛିଆ ବନ୍ଦରରେ ଅଟକି ରହିଛି। ଏହା ପାଲମା ଡି ମାଲୋର୍କାରୁ ଆସିଥିଲା। କରୋନା ସଂକ୍ରମଣ ସନ୍ଦେହ କରାଯାଉଥିବା ଦମ୍ପତି ୨୫ରେ ହଂକଂରୁ ବିମାନ ଯୋଗେ ମିଲାନ ଆସି ସେଠାରୁ ଜାହାଜରେ ଆସୁଥିଲେ। ଡାକ୍ତରଙ୍କୁ ଛାଡ଼ିଲେ ଅନ୍ୟ କାହାକୁ ଉକ୍ତ ଜାହାଜ ମଧ୍ୟରେ ପ୍ରବେଶ କରିବାକୁ କିମ୍ବା ବାହାରିବାକୁ ଅନୁମତି ଦିଆଯାଉନାହିଁ।
ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ୟୁହାନ ସହରରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସେମାନଙ୍କୁ ଦୁଇଟି ବିମାନରେ ଫେରାଇ ଆଣିବା ପାଇଁ ଚାଇନା କର୍ତ୍ତୃପକ୍ଷଙ୍କୁ ଅନୁମତି ମଗାଯାଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ ୟୁହାନ ସହରରୁ ଖାଲି କରାଯିବ ବୋଲି ବେଜିଂସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।

Share