Categories: ଜାତୀୟ

କରୋନା ଭୟ: ଜେଲରେ ବନ୍ଦୀ ଥିବା ୫୮୦୦ କଏଦୀଙ୍କୁ ମୁକ୍ତ କରିପାରନ୍ତି ପଞ୍ଜାବ ସରକାର

ଚଣ୍ଡିଗଡ଼,୧୮।୩: ଦିନକୁ ଦିନ ଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୧୫୨ ଛୁଇଁଥିବା ବେଳେ ପଞ୍ଜାବରେ ଗୋଟିଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କରୋନାକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ ଚଳାଇଥିବା ବେଳେ ବିଭିନ୍ନ ସତର୍କତା ଅବଲମ୍ବନ କରାଯାଉଛି। ଏବେ ସରକାରଙ୍କ ନଜର ରାଜ୍ୟର ଜେଲ୍‌ଗୁଡ଼ିକ ଉପରେ ରହିଛି। କରୋନାରୁ ବର୍ତ୍ତିବା ପାଇଁ ଜେଲ୍‌ ଗୁଡ଼ିକୁ ଜୀବଣୁ ଶୂନ୍ୟ କରାଯାଉଥିବା ବେଳେ ଏବେ ପଞ୍ଜାବ ସରକାର ଜେଲରେ ବନ୍ଦୀ ଥିବା କଏଦୀଙ୍କୁ ମୁକ୍ତ କରିବାକୁ ବିଚାର କରୁଛନ୍ତି। ଜେଲରେ ବନ୍ଦୀ ଥିବା ୫୮୦୦ କଏଦୀଙ୍କୁ ମୁକ୍ତ କରିବା ପାଇଁ ପଞ୍ଜାବର ଜେଲ ମନ୍ତ୍ରୀ ଏସ୍‌.ଏସ୍‌. ରନ୍ଧଓ୍ବା ବୁଧବାର ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ଯେଉଁମାନେ ଏକାଧିକ ଅପରାଧରେ ଜଡିତ ନାହାନ୍ତି ସେମାନଙ୍କୁ କେବଳ ମୁକ୍ତ କରାଯିବ। ଯେପରିକି ୨୮୦୦ କଏଦୀ କେବଳ ଛୋଟମୋଟ ଲୁଟ୍‌ରେ ସଂଶ୍ଳିଷ୍ଟ ଥାଇ ଜେଲ୍‌ରେ ରହିଛନ୍ତି ଏବଂ ୩୦୦୦ କଏଦୀ କମ୍‌ ମାତ୍ରାରେ ଡ୍ରଗ୍ସ ଚୋରାଚାଲାଣ କରି ଧରାପଡ଼ିଛନ୍ତି। ଏଭଳି ଅପରାଧୀମାନଙ୍କୁ ମୁକ୍ତ କରିବାକୁ ବିଚାର କରାଯାଉଛି। ଏନେଇ ରାଜ୍ୟର ଡିଜିପି, ଏଡିଜିପି ଓ ଏସ୍‌ପିଙ୍କ ସହ ବିଚାର ବିମର୍ଶ କରାଯାଉଛି। ତେବେ ସମସ୍ତଙ୍କ ସହମତିକ୍ରମେ କୌଣସି ନିଷ୍ପତ୍ତି ନିଆଯିବ ବୋଲି ରନ୍ଧଓ୍ବା କହିଛନ୍ତି।

Share