ଦାରିଙ୍ଗବାଡ଼ି,୧୦।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଙ୍ଗଳବାର ହୋଲିପର୍ବ କେବଳ ଶୁଭେଚ୍ଛା ବାର୍ତ୍ତାରେ ଅଟକି ରହିଛି । ଜଣେ ଜଣକୁ ଶୁଭେଚ୍ଛା ବାର୍ତ୍ତାକୁ ସୋସିଆଲ ମିଡିଆରେ ଦେଇ ଘରେ ଚୁପ୍ ବସିଛନ୍ତି । ସାରା ବିଶ୍ୱରେ କରୋନା ଭୂତାଣୁକୁ ନେଇ ଭୟ ଓ ଆତଙ୍କ ଦେଖାଯାଇଥିବା ବେଳେ ହୋଲି ନ ଖେଳିବା ପାଇଁ ପରାମର୍ଶ ଦିଆଯାଇଛି । ଏହାକୁ ନେଇ ଜନସାଧାରଣ ସଚେତନ ହେବା ସହ ଆଗଭଳି ହୋଲି ଖେଳିବାକୁ ପସନ୍ଦ କରିନାହାନ୍ତି ବରଂ ନିଜ ପରିବାର ସହ ଘରେ ସମୟ ଅତିବାହିତ କରିଛନ୍ତି । ହୋଲି ଖେଳିଲେ ହୁଏତ କରୋନା ଆକ୍ରାନ୍ତ ହେବା ଭୟ ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଇଛି । କିଛି ସ୍ଥାନରେ ଏହି ହୋଲି ଯୁବ ଗୋଷ୍ଠୀ ଖେଳିବା ଦେଖିବାକୁ ମିଳିଥିଲେ ମଧ୍ୟ ପୂର୍ବବର୍ଷ ଭଳି ଭିଡ଼ ଦେଖିବାକୁ ମିଳି ନ ଥିଲା । ଏକ ପ୍ରକାର ଚଳିତବର୍ଷ ହୋଲି ସମସ୍ତଙ୍କୁ ଫିକା କରିଦେଇଛି । ଗାଁ ଦାଣ୍ଡ, ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି ।