କରୋନା ଭୟ: ଭବାନୀପାଟଣାରେ ବଢୁଛି ମାସ୍କର ଚାହିଦା

ଭବାନୀପାଟଣା,୧୪।୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱବାସୀଙ୍କୁ ଘାରିଛି କରୋନା ଚିନ୍ତା। ଏପରିସ୍ଥିତିରେ ଓଡ଼ିଶାରେ କିଛି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ସବୁଠି ପ୍ରାୟ ଭୟର ବାତାବରଣ ଲାଗିରହିଛି। ସରକାର ମଧ୍ୟ ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାର ପ୍ରତିକାର ବ୍ୟବସ୍ଥାକୁ ନେଇ ସଚେତନତା ସୃଷ୍ଟି କରୁଛନ୍ତି। ଏହି କ୍ରମରେ ଭବାନୀପାଟଣା ସହର ସମେତ କଳାହାଣ୍ଡି ଜିଲାରେ ମାସ୍କ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସ୍କୁଲ ଛାତ୍ରୀଛାତ୍ରୀ ମାସ୍କ ବ୍ୟବହାର କରୁଛନ୍ତି। ତେବେ କରୋନାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାମାରୀ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ଯେତିକି ଭୟ ଦେଖାଦେଉଛି ସେତିକି ସଚେତନତା ମଧ୍ୟ ବଢ଼ିଛି। ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବା ସହ ବିଭିନ୍ନ ପ୍ରତିକାରମୂଳକ ପଦକ୍ଷେପ ପାଇଁ ସରକାର ଓ ସ୍ବାସ୍ଥ୍ୟ ବିଭାଗ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଏଣୁ ଲୋକେ ସତର୍କତା ଦୃଷ୍ଟିରୁ ମାସ୍କ ପିନ୍ଧୁଥିବା ଦେଖାଯାଇଛି।