Categories: ଜାତୀୟ

କରୋନା ଭୟ: ଭାରତୀୟ ବିମାନକୁ ଅନୁମତି ମିଳୁନି, ଯୋଗାଯୋଗ ବିଳମ୍ବକୁ ଦାୟୀକଲା ଚାଇନା

ଉହାନ,୨୨ା୨:ଚାଇନାରେ କରୋନା ଭାଇରସ୍‌ ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡ଼ାଇ ଚାଲିଥିବା ବେଳେ ପରିସ୍ଥିତି ଅଣାୟତ ହୋଇପଡ଼ିଛି। ଏବେସୁଦ୍ଧା ଚାଇନାରେ କରୋନା ମୃତ୍ୟୁସଂଖ୍ୟା ୨,୩୪୫ରେ ପହଞ୍ଚିଥିବାବେଳେ ପ୍ରାୟ ୭୬ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପ୍ରାୟ ୨୮ ଦେଶର ନାଗରିକ ଏହି ରୋଗରେ ଆକ୍ରାନ୍ତ ଥିବାବେଳେ ଚାଇନାରୁ ସେମାନଙ୍କୁ ସ୍ବଦେଶକୁ ନେବା ଲାଗି ପ୍ରୟାସ ଜାରି ରହିଛି। ଅନୁରୂପ ଭାବେ ଅନେକ ଭାରତୀୟ ଚାଇନାରେ ଏବେବି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ବାୟୁସେନାର ରିଲିଫ ବିମାନ ଯାଇଥିବା ବେଳେ ଚାଇନା ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ଅନୁମତି ଦେଉ ନ ଥିବା ଅଭିଯୋଗ କରାଯାଇଛି। ଫେବୃୟାରୀ ୧୬ରୁ ଜାପାନ, ୟୁକ୍ରେନ, ଫ୍ରାନ୍ସ ବିମାନକୁ ଚାଇନା ଅନୁମତି ଦେଇଥିବା ବେଳେ ଭାରତକୁ ଜାଣିଶୁଣି ଅବହେଳା ପ୍ରଦର୍ଶନ କରାଯାଉଛି। କରୋନା ସଂକ୍ରମତି ଚାଇନାକୁ ଭାରତ ସହଯୋଗର ହାତ ବଢ଼ାଇ ଥିବାବେଳେ ଏପର୍ଯ୍ୟନ୍ତ ରିଲିଫ ବିମାନକୁ ଅନୁମତି ଦିଆଯାଇ ନାହିଁ। ଚାଇନାରେ ଥିବା ଭାରତୀୟଙ୍କୁ ଉକ୍ତ ରିଲିଫ ବିମାନରେ ସ୍ବଦେଶ ଫେରାଇ ଆଣିବା ଲାଗି ଏବେ ବି ପ୍ରୟାସ ଜାରି ରହିଛି। ଚାଇନା ଦୂତାବାସର ମୁଖପାତ୍ର କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ନୁହେଁ ବରଂ ଦୁଇଦେଶର ବିଭାଗୀୟ ସମ୍ପର୍କରେ ବିଳମ୍ବ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ହୁବେଇ ସ୍ଥିତି ଏବେ ଉଦ୍‌ବେଗଜନକ ରହିଛି। ଭାରତୀୟଙ୍କ ସୁରକ୍ଷା ଓ ସହାୟତା ଦାୟିତ୍ୱ ଚାଇନା ମଧ୍ୟ ନେଉଛି। କରୋନା ସଂକ୍ରମଣକୁ ରୋକିବା ଓ ନାଗରିକଙ୍କୁ ସୁରକ୍ଷିତ ଭାବେ ରଖିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।
ଉହାନରେ ଭାରତୀୟମାନେ ସ୍ବଦେଶ ଫେରିବା ଲାଗି ଅପେକ୍ଷା କରିଥିବା ବେଳେ ଚାଇନାର ଅନୁମତି ଦେବାରେ ବିଳମ୍ବ ଯୋଗୁ ଚିନ୍ତା ବଢ଼ିଯାଇଛି। ପୂର୍ବରୁ ଭାରତ ୬୫୦ ନାଗରିକଙ୍କୁ ସେଠାରୁ ଉଦ୍ଧାର କରିସାରିଛି। ପରିସ୍ଥିତି ଉଦ୍‌ବେଗଜନକ ହୋଇପଡ଼ି ଥିବାବେଳେ ସେଠାରେ ଥିବା ଅନ୍ୟ ଭାରତୀୟଙ୍କୁ ଫେରାଇ ଅଣାଯିବା ଲାଗି ପ୍ରୟାସ ଜାରି ରହିଛି। ଚାଇନା ଅନୁମତି ଦେଲେ ସମସ୍ତ ଭାରତୀୟଙ୍କୁ ବିମାନରେ ସ୍ବଦେଶକୁ ଅଣାଯିବ ବୋଲି ଭାରତ ପକ୍ଷରୁ କୁହାଯାଇଛି।

Share