Categories: ଜାତୀୟ

କରୋନା ଭୟ: ଶ୍ରଦ୍ଧାଳୁଙ୍କ ପାଇଁ ବୈଷ୍ଣୋଦେବୀ ଯାତ୍ରା ବନ୍ଦ

ଜମ୍ମୁ,୧୮।୩: କରୋନା ଭାଇରସ୍‌ ଯୋଗୁ ଜମ୍ମୁ-କଶ୍ମୀରର ପ୍ରମୁଖ ତୀର୍ଥସ୍ଥଳୀ ମା’ ବୈଷ୍ଣୋଦେବୀଙ୍କ ଯାତ୍ରାକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାରଠାରୁ ଏହି ଯାତ୍ରାକୁ ସରକାର ବନ୍ଦ କରିଦେଇଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ ଆସୁଥିବା ଓ ଯାଉଥିବା ସମସ୍ତ ଅନ୍ତର୍ଜାତୀୟ ବସ୍‌ ପରିଚାଳନା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ସତର୍କତା ଦୃଷ୍ଟିରୁ ସେଠାରେ ଏପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କୁ ଥର୍ମାଲ ଯାଞ୍ଚ କରାଯାଇ ମନ୍ଦିରକୁ ଛଡା ଯାଉଥିଲା। ଏଥିସହ ଯାତ୍ରା ମାର୍ଗରେ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା ବୋଲି ମା’ ବୈଷ୍ଣୋଦେବୀ ମନ୍ଦିରର ଶ୍ରାଇନ୍‌ ବୋର୍ଡ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ନବରାତ୍ର ସମୟରେ ମା’ଙ୍କ ଦର୍ଶନ ପାଇଁ ଏଠାକୁ ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆସିଥାନ୍ତି। ହେଲେ ବର୍ତ୍ତମାନ ଦେଶରେ କରୋନା ଭାଇରସ୍‌ ବୃଦ୍ଧି ପାଉଥିବାରୁ ସତର୍କତା ଦୃଷ୍ଟିରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଅପରପକ୍ଷେ ଏହି ବନ୍ଦ ଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ୩ଟି ଘଟଣା ସାମ୍ନାକୁ ଆସିଥିବା ବେଳେ ଲଦାଖରେ ୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

Share