Categories: ଖେଳ

କରୋନା ଭୟ ସତ୍ତ୍ୱେ ଅଲିମ୍ପିକ୍ସ ବକ୍ସିଂ କ୍ୱାଲିଫାୟର ଚାଲିଛି

ଲଣ୍ଡନ, ୧୬ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ଭୟ ସତ୍ତ୍ୱେ ୟୁରୋପ୍‌ ଫାଇଟରମାନଙ୍କ ଲାଗି ବକ୍ସିଂ କ୍ୱାଲିଫାୟର୍ସ ଲଣ୍ଡନଠାରେ ଯଥାରୀତି ଚାଲିଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ବକ୍ସିଂ ଟାସ୍କ ଫୋର୍ସର ନିର୍ଦ୍ଦେଶକ୍ରମେ ଅବଶ୍ୟ ସୋମବାରଠାରୁ ଏହା ରୁଦ୍ଧଦ୍ୱାର ମଧ୍ୟରେ ଅନୁଷ୍ଠିତ ହେଉଛି। କରୋନା ଭାଇରସ୍‌ ସଂକ୍ରମଣ ଭୟରେ ବିଶ୍ୱବ୍ୟାପୀ ପ୍ରାୟ ଅଧିକାଂଶ କ୍ରୀଡ଼ା ପ୍ରତିଯୋଗିତାକୁ ବର୍ତ୍ତମାନ ପାଇଁ ସସ୍‌ପେଣ୍ଡ କରାଯାଇଛି। କିନ୍ତୁ ଏଠାରେ ଅଲିମ୍ପିକ୍ସ ବକ୍ସିଂ କ୍ୱାଲିଫାୟର ‘ଦି ବକ୍ସିଂ ରୋଡ୍‌ ଟୁ ଟୋକିଓ’ ଶନିବାରଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। କୁପର ବକ୍ସ ଆରେନାରେ ପ୍ରଥମ ଦୁଇ ଦିନ ଏହାର ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ୟୁରୋପର ୧୨ଟି ଦେଶରୁ ପ୍ରାୟ ୩୫୦ ମହିଳା ଓ ପୁରୁଷ ଦର୍ଶକ ଭାଗ ନେଇଛନ୍ତି। ୨୦୨୦ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିବା କ୍ଷେତ୍ରରେ ୟୁରୋପ ବକ୍ସରମାନଙ୍କ ଲାଗି ଏହା ପ୍ରଥମ ସୁଯୋଗ। ୟୁରୋପିଆନ ବକ୍ସିଂ କନଫେଡେରେଶନ (ଇୟୁବିସି) ସଭାପତି ଫ୍ରାଙ୍କୋ ସଭାପତି ଫାଲସିନେଲି କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ କୌଣସି ପ୍ରତିଯୋଗିତା ଆୟୋଜନ କରିବା ବଡ଼ ରିସ୍କ। ଜଣେ ବକ୍ସର ଭାଇରସ ଦ୍ୱାରା ସଂକ୍ରମିତ ହେବା ସମ୍ଭାବନା ଅଧିକ। ପୁନଶ୍ଚ ବିମାନ ଯାତାୟାତ କଟକଣା ଜାରି ହୋଇଥିବାରୁ ପ୍ରତିଯୋଗୀମାନେ ନିଜ ଘରକୁ ଫେରିବାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଖବର ଅନୁସାରେ ବ୍ରିଟେନରେ କୋଭିଡ୍‌-୧୯ ଦ୍ୱାରା ୧,୩୭୨ ସଂକ୍ରମିତ ହୋଇଥିବାବେଳେ ରବିବାର ସୁଦ୍ଧା ୩୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ବକ୍ସିଂ କ୍ୱାଲିଫାୟର୍ସଙ୍କ ଆୟୋଜକଗଣ ସଫେଇ ଦେଇ କହିଛନ୍ତି, ଇଭେଣ୍ଟର ଆରମ୍ଭ ପୂର୍ବରୁ ପ୍ରତିଯୋଗୀମାନଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି। ସମସ୍ତ ଟିମ୍‌କୁ ନିୟମିତ ହ୍ୟାଣ୍ଡ୍‌ଓ୍ବାସ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ଯଦି କୌଣସି ବକ୍ସରଙ୍କଠାରେ ଥଣ୍ଡା କିମ୍ବା ଜ୍ୱର ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ସ୍ଥାନୀୟ ଆୟୋଜକଙ୍କୁ ଅବଗତ କରାଇବାକୁ ପଡ଼ିବ। ସମ୍ପୃକ୍ତ ବକ୍ସର କାହା ସହିତ ମିଳାମିଶା ନ କରି ଏକାକୀ ଇନ୍‌ଡୋରରେ ରହିବାକୁ ହେବ। ଏହାଛଡ଼ା ଦୈନିକ ଏକ ଡ଼ାକ୍ତରୀ ଦଳ ଦ୍ୱାରା ବକ୍ସରମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି। ଏଣେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଶନିବାର କହିଛନ୍ତି ତାଙ୍କ ଦେଶରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୪ରୁ ଟୋକିଓ ଅଲିମ୍ପିକ୍ସ ଅନୁଷ୍ଠିତ ହେବ।

Share